Unknown

ଜ୍ଞାନପ୍ରଦୀପ ଗୀତା

ଅଚ୍ୟୁତ ଦାସ

 

ପ୍ରଥମ ଅଧ୍ୟାୟ

କହଇ ଅର୍ଜୁନ ଶୁଣ ମହାପ୍ରଭୁ ବ୍ରହ୍ମଜ୍ଞାନ କହ ମୋତେ

ଏକାକ୍ଷର ବୋଲି ଯାହାକୁ ବୋଲିଟି ସେ ଅଛି କାହିଁ ଗୁପତେ

କହନ୍ତି ଶ୍ରୀକୃଷ୍ଣ ଶୁଣ ହୋ ଅର୍ଜୁନ ମହାଶୂନ୍ୟୁ ଶୂନ୍ୟ ଜାତ

ଶୂନ୍ୟ ମଧ୍ୟକୁ ତୁ ଲୟେ କର ପାଥ ଅକାର ତହୁଁ ସମ୍ଭୂତ

ଅକାର ଅକ୍ଷର ବିଚାର କହନ୍ତେ ଉକାର ଜନମ ହୋଇ

ଉକାର ଅକାର ମିଶାଇଁ ବୁଝ ତୁ ଏକାକ୍ଷର ସେ ବୋଲାଇ

ହ୍ଳୀଂ ଅକ୍ଷରଟି ଶ୍ଲୀଂ ସଙ୍ଗେ ଘେନି କ୍ଳୀଂ ତ୍ରିୟବୀଜାକ୍ଷର

ଏହି ତ୍ରିବୀଜଟି ନାମ ବୋଲାଇଲା ଜନମ ସେହି ଅକ୍ଷର

ହ୍ଲୀଂ ବଳଭଦ୍ର ଶ୍ଲୀଂ ସୁଭଦ୍ରା ଯେ କ୍ଲୀଂ ଜଗନ୍ନାଥ ଜାଣ

ଏହି ତ୍ରିବୀଜ ଖସି ଭାବେ ରହିଛି ପାଥ ଏକ ଅଙ୍ଗେ ଜାଣ

ହ୍ଲୀଂ ବୀଜଟି ଯେ ବଂଇଶୀ ଠାବେଣ ଶ୍ଲୀଂ ବୀଜଟି ହୃଦୟେ

କ୍ଲୀଂ ବୀଜ ଶିରେ ବିସ୍ତାର ହୋଇଲା ଏମନ୍ତେ ତ୍ରିବୀଜ କ୍ଷୟେ

ନ୍ତ୍ରୟବୀଜ ନ୍ତ୍ରୟ ନାମ ବୋଲାଇଲା ତିନିକି ଏକତ୍ୱ କର

ସୋମ ସୂର୍ଯ୍ୟାଗ୍ନି ମିଶାଇଁ ଏ ତ୍ରିକୂଟ ଉପରେ ହେତୁକୁ ଧର

ତ୍ରିକୂଟ ସ୍ଥାନେ ଯେବଣ ସ୍ଥାନ ଦିଶି ମିଶିଲେ ଦେଖ ଅର୍ଜ୍ଜୁନ

ତହିଁକି ସେ ଯୋଗୀ ଯୋଗ ଅଷ୍ଟାଙ୍ଗରେ ରହି କରୁଛନ୍ତି ଧ୍ୟାନ

ଯୋଗୀ ବୋଲି କରି ଯାହାକୁ ବୋଲିଯି ଯୋଗଦ୍ୱାରେ ଦ୍ୱାରୀ ସେହି

ଯୋଗୀଜନ ଯୋଗେ ପ୍ରବେଶ ହୁଅନ୍ତେ ମନ ଜ୍ଞାନକୁ ହରାଇ

ଅଜପା ବୋଲିଟି ଯେବଣ ସେ ମନ୍ତ୍ର ଜପିଲେ ଛାଡ଼ଇଁ ଦ୍ୱାର

ଦ୍ୱାରୀ ଛାଡ଼ିଲେ ମହାଶୂନ୍ୟ ଦିଶିବ ତହିଁକି ତ ଲୟେ କର

ସେହି ଠାବରେ ତ୍ରିବିନ୍ତ୍ରମ ରୂପ ଯେ ସାକ୍ଷାତେ ଉଦୟ ହୋଇଁ

ପାଦ ପାଣି କର୍ଣ୍ଣ ନାସା ଚକ୍ଷୁ ଜିହ୍ୱା ରେଖ ରୂପ ଯାର ନାହିଁ

ଅବ୍ୟକ୍ତ ବର୍ଣ୍ଣ ଅଶୂନ୍ୟ ରୂପ ଶୂନ୍ୟ ଅରୂପ ତାହାର ବେହି

କୋଟି ଚନ୍ଦ୍ର କୋଟି ଅଗ୍ନିତେଜ ରୂପ ତାର ରୂପକୁ ଗଞ୍ଜଇ

ଅଜ୍ଞାନିଜନଙ୍କୁ ଅଦୃଶ୍ୟ ହୁଅଇ ସୁଜ୍ଞାନିକି ଦୃଶ୍ୟ ହୋଇ

ସ୍ଥାବରଜଙ୍ଗମ କୀଟ ପତଙ୍ଗରେ ଘଟେ ଘଟେ ପୂରିଛଇ

ସଦଗୁରୁ ସେବା କରିଥିଲେ ଜାଣି ଆଜ୍ଞା ଥିଲା ତାହାଁ ପାଇ

ସାଧୁଜନଙ୍କ ବଚନକୁ ପ୍ରତୀତ ଅଚ୍ୟୁତ ଦାସ କହଇ

 

ଇତି ଶ୍ରୀ ଜ୍ଞାନପ୍ରଦୀପ ଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ପ୍ରଥମୋଽଧ୍ୟାୟଃ ।

 

ଦ୍ୱିତୀୟ ଅଧ୍ୟାୟ

କହଇ ଅର୍ଜୁନ ଶୁଣ ଗୋସାଇଁ

ଅବ୍ୟକ୍ତପୁରୁଷ କାହିଁରେ ଥାଇଁ

ଜୀବ ପରମ ବୋଲନ୍ତି ସେ କାହିଁ

ଏହା ବୁଝାଇ କହ ଭାବଗ୍ରାହୀ

ପରମ ଦିଶଇ କେବଣ ବର୍ଣ୍ଣ

ଜୀବର ବର୍ଣ୍ଣ ସେ କେବଣ ପୂର୍ଣ୍ଣ

ଜୀବଗୋଟି କାହିଁ ରହିଲା କହି

ପରମ ହୋଇଛି କେବଣ ଦେହି

ଏକା ଘରେ ଲୀଳା କରନ୍ତି ରହି

ଏମନ୍ତ ବୋଲି ସାଧୁମାନେ କହି

ଶ୍ରୀହରି ବୋଲନ୍ତି ଶୁଣ ହୋ ପାର୍ଥ

ପଚାରିଲୁ ଯାହା ଅତି ଗୁପତ

ଅଜ୍ଞାନୀକି ବ୍ୟକ୍ତ କରିବୁ ନାହିଁ

ଅବ୍ୟକ୍ତ ପୁରୁଷ ଶୂନ୍ୟରେ ଥାଇ

ଜୀବ ପରମ ତା ବେନି ଚରଣ

ଜୀବ ପରମ ମୁଁ ହୋଇଛି ଜନ୍ମ

ହୋଇଛି ଅଶେଷ ପରମ ଚିହ୍ନ

ଜୀବ ପ୍ରକାଶୁଅଛି ଶ୍ୱେତବର୍ଣ୍ଣ

ବାମପାଦ ଜୀବ ରହିଛି ଟି ଏ

ଦକ୍ଷିଣପାଦ ପରମ ବିଜୟେ

ଏକସ୍ଥାନେ ଲୀଳା କରନ୍ତି ବେନି

ପରମ ରହିଛି ଜୀବକୁ ଘେନି

ଯାହା ପଚାରିଲୁ କହିଲୁଁ ପାଥ

ପରମ ତତୃ ଯେ ଅତି ଗୁପତ

କହଇ ଅର୍ଜୁନ ଶୁଣ ଶ୍ରୀହରି

ପଚାରୁଛି ଯାହା କହ ବିସ୍ତାରି

ଜୀବ ପରମରେ ସନ୍ଦେହ ହେଲା

ମାଈ କେ ଅଣ୍ଡିରା ଜଣା ନ ଗଲା

ଜୀବ ପରମ ତ ଅଟନ୍ତି ଦୁଇ

ପୁଣ ବୋଲନ୍ତି ଏକ ରୂପ ସେହି

ଶ୍ରୀହରି ବୋଲନ୍ତି ଶୁଣ ବିବତ୍ସି

ଗୁପତ ହୋଇଁ ଏ କଥା ରହିଛି

ଜୀବଟି ମାଈ ପରମ ଅଣ୍ଡିର

ଜୀବରେ ପରମ କରେ ବିହାର

ଅନଳ ଧୂମ ଯେସନ ପ୍ରକାର

ଜୀବ ପରମ ଏକଇଁ ଶରୀର

ଶୁଣ ସେ ଜ୍ଞାନ ପୁଛିଲୁ ଅର୍ଜୁନ

ଜୀବ ପରମଙ୍କ କଳା ବିଧାନ

କେତେ କେତେ କଳା ରାତ୍ର ଦିବସ

କେତେ କଳା ଘେନି ରାଉଛି ହଂସ

କେତେ ଦୁଆରେ କେତେ ବା କବାଟ

କେଉଁଠାରେ ସର୍ପ ଜଗିଛି ଘାଟ

କେଉଁ ଦ୍ୱାର ସେହି ନିରୋଧ ହୋଇଁ

କେଉଁ ଦ୍ୱାର କବାଟ ଲାଗିଛଇଁ

ଅନନ୍ତ ରହିଛି କେଉଁ ପ୍ରକାରେ

କେଉଁ ଦୀପ ଜଳେ କେଉଁ ଠାବରେ

କହନ୍ତି ହରି ଶୁଣ ପଣ୍ଡୁବଳା

ଜୀବ ପରମଙ୍କ ବତ୍ରିଶ କଳା

ଚବିଶ କଳାରେ ରାତ୍ର ଦିବସ

ଅଷ୍ଟକଳା ଘେନି ନିତ୍ୟ ଯେ ରାସ

ଆହାର ନିଦ୍ରା ମଇଥୁନ ବାଈ

ଚନ୍ଦ୍ରର ଏ ଚାରି କଳା ଅଟଇ

ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ଏ ଚାରି

ସୂର୍ଯ୍ୟକଳା ଚାରି ଦ୍ୱାରେ ପହାରୀ

ଏ ଚାରିଦ୍ୱାରେ ଏକ କବାଟହିଁ

ଦୋମୁହାଁ ସର୍ପ ତହିଁ ଜଗିଥାଇ

ନିରୋଧ ଦ୍ୱାର ଅଟେ ଶିଷୁମୁନା

ତିଳ କବାଟ ଲାଗିଅଛି ଅନା

ଯୋଗମାୟା ପରେ ଅଛନ୍ତି ରହି

ମାଣିକ୍ୟଦୀପ ସେଠାରେ ଜଳଇ

ରାତ୍ର ଦିବସ ଦୁଇ ନାହିଁ ଯହିଁ

କୋଟି ଦିବାକର ଉଦୟ ହୋଇଁ

କହେ ଅର୍ଜୁନ ଶୁଣ ଦେବରାୟେ

ପୁଚ୍ଛିବି ମୁହିଁ ଆହୁରି କଥାଏ

କେମନ୍ତ ଅବା ସ୍ୱରୂପଟି ସେହି

କେମନ୍ତ ପ୍ରକାରେ ଶରୀର ବହି

କେଉଁ ଜପ ତପ ମନ୍ତ୍ରରେ ଅବା

କାହାକୁ ଭାବିଲେ ତାଙ୍କୁ ପାଇବା

କେଉଁ କଥା ଅବା ଅତି ଗୁପତ

କାହିଁ ବ୍ରହ୍ମାଣ୍ଡ ବା ହୋଇଛି ଜାତ

ନାମଟି ଏ କାହୁଁ ଜାତ ହୋଇଲା

ସଂସାରରେ ପୁଣ ଉଦିତ ହେଲା

ନାମଗୋଟି ସେ ଯେ କେମନ୍ତ ଭାବ

କର୍ଣ୍ଣ ଚିହ୍ନ ତା କେମନ୍ତ କହିବ

କହନ୍ତି ଶ୍ରୀହରି ଶୁଣ ଅର୍ଜୁନ

ତୋତେ କହିବା ଏ ଗୁପତ ଜ୍ଞାନ

ତୁହି ଯେ ପଚାରି ପାରୁ ଏମାନ

ଯାହା ନ ଜାଣନ୍ତି ଚତୁରାନନ

ତୁ ପଚାରିଲୁ ସେ ରୂପ କେମନ୍ତ

କହୁଛି ଶୁଣ ତୁ ତଥି ତଦନ୍ତ

ଠୁଳ ନୋହେ ଶୂନ୍ୟ ନୋହେ ଅରୂପ

ଭକ୍ତ ଭକ୍ତିଭାବେ ବହନ୍ତି ରୂପ

ବ୍ରତ ଜପ ତପ ମନ୍ତ୍ରେ ନ ପାଇ

ଭାବିଲେ ନାମ ଅନାମ ପାଇ

ଅତିଅଗୋଚର ଅନାମଖଣ୍ଡ

ଅବତାର ଯହୁଁ କୋଟି ବ୍ରହ୍ମାଣ୍ଡ

ଅନାମ ଖଣ୍ଡୁ ଜାତ ହୋଇ ନାମ

ସଂସାର ନାମରୁ ହେଲା ଜନମ

ଅତିଗୁପତ ଏ ନାମ ମହିମା

ବର୍ଣ୍ଣ ଚିହ୍ନ ଯାର ନ ଜାଣେ ବ୍ରହ୍ମା

ମୁହିଁ ବା କେଉଁ ଛାର ଲୋକ ହୋଇ

ମୁଖରେ ମୁଁ ଏହା କହିଁ ଲୋଡ଼ଇ

ସାଧୁଙ୍କ କରୁଣା ଗୁରୁଙ୍କ ଆଜ୍ଞା

ମୋହର କାହିଁ ସେ ଏଡ଼େ ପ୍ରତିଜ୍ଞା

ଠୁଳ ଶୂନ୍ୟେ ନାହିଁ ପରମାନନ୍ଦ

ତାହା ଜାଣନ୍ତି ସେ ଭକତ ବୃନ୍ଦ

ଭକତଜନ ପାଦ ଅରବିନ୍ଦ

ଧ୍ୟାୟି କରି କହେ ଅଚ୍ୟୁତାନନ୍ଦ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣଅର୍ଜୁନସମ୍ବାଦେ ନାମ ଦ୍ୱିତୀୟୋଽଧ୍ୟାୟଃ ।

 

ତୃତୀୟ ଅଧ୍ୟାୟ

କହନ୍ତି ଅର୍ଜୁନ ଶୁଣିମା ଶ୍ରୀହରି କହ ଜ୍ଞାନର ବିଚାର

କେମନ୍ତ ପ୍ରକାରେ ଜ୍ଞାନର ମହିମା ଶୁଣିବାକୁ ମନ ମୋର

କିରୂପେ ମନ୍ତ୍ର ଯେ ସ୍ଥାପନା ହୁଅଇ କେଉଁ କ୍ଷର ତହିଁ ବସି

ଅଣଅକ୍ଷର ଯେ କାହାକୁ ବୋଲିବା ତାହା କହିବା ବିଶେଷି

ଏକାକ୍ଷର ମନ୍ତ୍ର କେଉଁ ଅକ୍ଷର ସେ କେଉଁ ଠାବରେ ରହିଲା

ଏମନ୍ତେ ବାର ମାତ୍ରା ଅଛିଟିକି କେଉଁ ମତି କାହିଁ ବସିଳା

ଯନ୍ତ୍ରରେ ପରା ବେନି ଦଳ ବସଇଁ ସେ କାହୁଁ ହୋଇଲେ ଜାତ

କେଉଁ ଦଳୁ ଆତ୍ମା ସମ୍ଭୂତ ହୋଇଲା କହିବା ଏଥି ତଦନ୍ତ

ପୃଥ୍ୱୀ ଆପ ତେଜ ବାୟୁ ଯେ ଆକାଶ କେଉଁ ଦଳରୁ ସେ ହେଲେ

ପ୍ରାଣପ୍ୟାନ ବ୍ୟାନ ଉଦ୍ଦାନ ସମାନ କେଉଁ ବଳୁଁ ଜନମିଳେ

ସିଦ୍ଧିରସ୍ତୁ ଚାରିକ୍ଷର ମୂଳ ବୀଜ କେଉଁ ଦଳରୁ ସେ ହୋଇ

ଅବନା ବୋଲନ୍ତେ ଅଚାର୍କ ପାଇଲି କେତେ ଅକ୍ଷର ଅଟଇ

କେଉଁ ଅକ୍ଷରୁ କେ କିରୂପେ ହୋଇଲା ଷୋଳଦଳୁଁ କାହୁଁ ହୋଇ

ଦ୍ୱାଦଶ ଦଳ କିରୂପେ ଜନମିଲା ତାହା କହ ଯଦୁସାଇଁ

ଦୃଶଦଳ ବୋଲି କାହାକୁ କହନ୍ତି ସେ କେଉଁ ଦଳୁଁ ଉତ୍ପତ୍ତି

ଷଡ଼ଦଳ ଜନ୍ମ ଚତୁର୍ଦ୍ଦଳ କେଉଁ କ୍ଷରୁ କହ ଦାଶରଥି

କେ କାହୁଁ କିରୂପେ ଜନମ ହୋଇଲେ କହ ଆଦି ଅନ୍ତ କରି

ଷଡ଼ଚକ୍ରେ ପଞ୍ଚାଶକ୍ଷର ପବନ ମନ କିରୂପେ ବିହରି

ଅଷ୍ଟାଙ୍ଗଯୋଗ ଚାରିବେଦ ଓଁକାର ଏକାକ୍ଷର ଅଣାକ୍ଷର

ସଂକ୍ଷେପେ ଏହା କହନି ମହାବାହୁ ଯେବେ ମୁଁ ଭୃତ୍ୟ ତୁମ୍ଭର

ମୁହିଁ ହୀନଜନ ନାହିଁ ମୋର ଜ୍ଞାନ ଏ ସନ୍ଧି ପାଇବି କାହିଁ

ତୁମ୍ଭେ ଗୁରୁ ମୋତେ ସୁଦୟା କର ଯେ ଶୁଣି ଭବୁଁ ଉଦ୍ଧରଇଁ

କହନ୍ତି ଶ୍ରୀକୃଷ୍ଣ ଶୁଣ ହୋ ଅର୍ଜୁନ ତୋ ଆଗେ କହୁଛି ମୁହିଁ

ପୁଛିଲୁ ତୁ ଯାହା କହିବି ମୁଁ ତାହା ନ କହିବୁ ଅଜ୍ଞାନେହିଁ

ବିଷମ ସନ୍ଧି ସେ ଅତି ଅଗୋଚର ବଚନେ ନୋହେ ବଖାଣି

ଯାହା ପଚାରିଲୁ ମନ୍ତ୍ରର ମହିମା ଶ୍ରୀଗୁରୁ କହିଲେ ଜାଣି

ହେତୁ କରି ଶୁଣ ପ୍ରଥମ ଯନ୍ତ୍ରକୁ ସ୍ଥାପନ ଏମନ୍ତେ ହେଲା

ଅଣଅକ୍ଷର ଶୂନ୍ୟରୂପେ ତହିଁ ଯେ ପାରୁଶେ ଅକାର ହେଲା

ଅକାର ପାରୁଜେ ଗାର ବସାଇଲେ ଆକାର ଯେ ତହିଁ ଦେଇ

ତହିଁ ପାରୁଶରେ ଶୂନ୍ୟ ବସାଇଲେ ଯେରୂପେ ଯନ୍ତ୍ର ହୁଅଇ

ତହିଁ ତଳେ ଚାରିଅଙ୍କ ଗାର ଓଁରେ ମାତ୍ରା ଆରପାଖେ ଦେଇ

ଉପରେ ସେ ମାତ୍ରା ବସାଇଲେ ଏକାକ୍ଷର ବେନିଦଳ ହୋଇ

ବେନିଦଳ ବୋଲି ଯାହା ସେ ବୋଲନ୍ତି ହେତୁ କରି ତାହା ଘେନି

ସେହି ଠାବରୁଟି ଜ୍ଞାନ ସେ ଉତ୍ପତ୍ତି କହିଲି ତୋତେ ଅର୍ଜୁନ

ହଂ କ୍ଷଂ ବୋଲିଣ ନାମଟି ଯାହାର ସେ ବେନିଦଳ ବୋଲାଇ

ଉଦେ ଅସ୍ତ ଯେଉଁ ଠାବରେ ହୁଅଇ ଜ୍ଞାନଟି ସେହି ଅଟଇ

ପୃଥ୍ୱୀ ଆପ ତେଜ ବାୟୁ ଯେ ଆକାଶ କହିବା ଏଥି ବିଧାନ

ହଂ ଦଳରୁ ଏ ପ୍ରକାଶ ହୋଇଲେ ଶୁଣ ତୁ ହୋ ଅରଜୁନ

ପ୍ରାଣପାନ ବ୍ୟାନ ଉଦାନ ସମାନ ଏ ଜ୍ଞାନ କହିବା ତୋତେ

ଯଂ ଦଳରୁ ଏ ଜନମ ହୋଇଲେ ଶୁଣ ତୁ ହୋ ପଣ୍ଡୁସୁତେ

ଆହୁରି ତୋତେ କହିବା ଯେ ସୁଚିତ୍ତେ ଚାରିବେଦର ବିତାର

ଚାରିବେଦ ମଧ୍ୟେ ପୁରି ପ୍ରକାଶିଛ ଅଷ୍ଟାଙ୍ଗଟି ନାମ ଯାର

ପରରଜ ବୋଲି ଯାହାକୁଟି କହି ଜାତସିଦ୍ଧି ବେନିକ୍ଷରୁ

ଶଶବଦ ବୋଲି ଚାରିଅକ୍ଷର ଜନ୍ମିଲା ରସ୍ତୁ ଅକ୍ଷରୁ

ଏବେ କହିବା ତା ଶୁଣନ୍ତି ହୋ ପାଥ ଷୋଳଦଳର ବିଚାର

ଯେଉଁ ଦଳରୁ ସେ ଜନମ ହୋଇଲେ ଘେନି ନାମ ରୂପାକ୍ଷର

ଅଆ ଇଈ ଉଊ ୠଋ ବୋଲି ପାଥ ଏ ଆଠକ୍ଷର ବୋଲାଇଁ

ଏଐ ଓଔ ଅଂ ଅଃ ଟି ଆଦି ଯେ ଏହ୍ନେଷୋଳଦଳ ହୋଇ

ଦ୍ୱାଦଶ ଦଳର ମହିମାଟି ଶୁଣ ଷୋଳ ଦଳରୁ ଜନ୍ମଇ

କ ଖ ଗ ଘ ଟି ସେ ଜାଣ ଙ ଚ ଛ ଜ ଅକ୍ଷର ପ୍ରମାଣ ଏହି

ଅଆ ଇଈ ଉଊ ୠଋ ଯା ବୋଲନ୍ତି ଅଷ୍ଟ ଅକ୍ଷର ଏ ସ୍ଥିତି

ଏ ଅଷ୍ଟଅକ୍ଷରୁ ସେ ଷଡ଼ ଅକ୍ଷର କହିଲୁଁ ସୁଭଦ୍ରାବତ୍ସି

ଆର ଷଡ଼ାକ୍ଷର ମହିମାଟି ଶୁଣ ଛ ଜ ଝ ନାମ ବୋଲାଇ

ଞ୍ଜ ଟ ଠ ଏ ଷଡ଼ ଅକ୍ଷର କହିବା ତୋତେ ହୋ ପାଥ ବୁଝାଇ

ଏଐ ଓଔ ଅଂ ଅଃ ଅଷ୍ଟାକ୍ଷର ଏହି ସ୍ଥିତ ଯେ ପ୍ରମାଣ

ଛ ଜ ଝ ଞ ଟ ଠ ଏ ଷଡ଼ ଅକ୍ଷର ଜାତ ଅଷ୍ଟାକ୍ଷରୁ ପଣ

ଦଶ ଦଳ ବୋଲି ଯାହାକୁ ବୋଲିଟି ଜନ୍ମ ଦ୍ୱାଦଶ ଦଳରୁ

ଡ଼ ଢ଼ ଣ ତ ଥ ଯାହା କହି କ ଖ ଗ ଘ ଙ ଚ ଛ ଯେ ତହିଁରୁ

ଆର ପାଞ୍ଚକ୍ଷର ଦ ଧ ନ ପ ଫ ଟି ନିଶ୍ଚୟ କରି ତୁ ଜାଣ

ଷଡ଼ ଜ ଝ ଞ ଟ ଠାରୁ ଜନମ ସେ ଏ ପାଞ୍ଚକ୍ଷର ପ୍ରମାର

ଷଡ଼ଦଳ ବୋଲି ନାମଟି ଯାହାର ଦଶ ଦଳରୁ ସେ ଜାତ

ଡ଼ ତ ଅଣ ତ ଥଅରୁ ସେ ବ ଭ ମ ହୋଇଅଛନ୍ତି ସମ୍ଭୂତ

ଯ ର ଳ ତିନି ଯେ ଅକ୍ଷର ଦ ଧ ନ ପ ଫ ରୁ ହୋଇଲେ ଜାତ

ଚତୁର୍ଦଳ କଥା ବିଶେଷି କହିବା ଷଡ଼ଦଳରୁ ନିର୍ମିତ

ବ ଅ ଶ ବୋଲି ଯେ ଏ ତିନି ଅକ୍ଷର ବ ଭ ମ ରୁ ଜାତ ହେଲେ

ଷ ସ ବେନିକ୍ଷର ଯାହାକୁଟି କହି ଯ ର ଳରୁ ଜନମିଳେ

ଷଡ଼ଚକ୍ରେ ପଞ୍ଚାଶ ଅକ୍ଷର ମନପବନ ଶିଶୁମ୍ନା ଦ୍ୱାର

ଅଷ୍ଟାଙ୍ଗେ ଯୋଗ ଯେ ବେଢ଼ି ରହିଅଛି ଚାରିବେଦ ମଧ୍ୟେ ସାର

ଚାରି ବେଦ ମଧ୍ୟେ ଓଂକାର ପୀଢ଼ ସେ ଶିରେ ଘେନି ଅର୍ଦ୍ଧମାତ୍ରା

ଅର୍ଦ୍ଧମାତ୍ରାପରେ ବିନ୍ଦୁବ୍ରହ୍ମ ବସେ ତାକୁ ବୋଲି ବ୍ରହ୍ମଯାନ୍ତ୍ରା

ବିନ୍ଦୁକୁ ବେଢ଼ି ବଙ୍କୁନାଳ ରହିଛି ବଙ୍କୁନାଳ ବୋଲି ଯାକୁ

ତ୍ରିବେଣୀ ଘାଟ ସେହିଠାରେ ଅଟଇ ଲୟେ କର ପାଥ ତାକୁ

ବିନ୍ଦୁ ଉପରେ ଜ୍ୟୋତି ରୂପ ପ୍ରକାଶ ଜ୍ୟୋତିକିଟି ନାମ କହି

ନାମ ଉପରେଟି ଅନାମ ରହିଛି ଏପରେ ପଦାର୍ଥ ନାହିଁ

ଅତି ଅଗୋଚର ବିଷମ ହେତୁ ଯେ ଯେ ମହାନୁଭରେ ଦୃଶ୍ୟ

ଶ୍ରୀଗୁରୁ ବଚନ ହୃଦପଦ୍ମେ ଘୋଷି ମଉନେ ଜାଗ୍ରତେ ବସ

ଶ୍ରୀଗୁରୁ କୃପାରେ ଯେ ଜ୍ଞାନ ସ୍ମରଣ ହୃଦେ ଥାଇଁ ଦ୍ୟନ୍ତି କହି

ବାଇ ପ୍ରାୟେ ହୋଇଁ ଏହା ମୁଁ ବୁଝଇ ଏଡ଼େ ହେତୁ ମୋର କାହିଁ

ସାଧୁଜନେ ମୋର ଦୋଷକୁ ନ ଧର ମୁଁ ତୁମ୍ଭ ଦାସର ଦାସ

ବିଷୟାଜଡ଼େ ବନ୍ଦି ହୋଇ ରହିଛି ବାନ୍ଧି ମୋହ ଜାଲଫାଶ

ମୋ ମନହିଁ ମୋତେ ଆୟତ୍ତ ନୋହିଲା ପ୍ରକୃତ ସଙ୍ଗତେ ପଡ଼ି

ଏକାଦଶ ଇନ୍ଦ୍ର ବଣା କରୁଅଛି ତେଣୁ ମୁଁ ସୁଗତି ଛାଡ଼ି

ଅଚ୍ୟୁତ ଦାସ ମୁଁ ଅତି ଅଜ୍ଞାନହିଁ ମୁହିଁ ମୂର୍ଖ ସଙ୍ଗେ ସରି

ଭଜି ନ ପାରିଲି ଶ୍ରୀଗୁରୁ ପୟରେ କେମନ୍ତେ ହୋଇବି ଫାରି

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରକୃଷ୍ଣଅର୍ଜୁନସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ।

 

ଚତୁର୍ଥ ଅଧ୍ୟାୟ

ଶ୍ରୀହରି ଚରଣ ଧରି ପଚାରଇ ପାଥ

ଅବ୍ୟକ୍ତ ବୋଲାଇ ରୂପ କାହିଁ ହେଲା ଗୁପ୍ତ

ସ୍ୱରୂପ କରିଣ ମୋତେ କହିବା ବିସ୍ତାର

ଯେମନ୍ତେ ମନକୁ ପ୍ରତେ ପାଇି ଶ୍ରୀହରି

ନାମ ରୂପ ଦୁଇ ମୋତେ କହିବା ଭେଦାଇ

ତୋର ପାଦପଦ୍ମ ବିନୁ ଅନ୍ୟ ଗତି ନାହିଁ

ଶ୍ରୀହରି ବୋଇଲେ ଯାହା ପୁଛିଲୁ ଅର୍ଜୁନ

ଅବ୍ୟକ୍ତ ଗୁପତ ଏ ବୋଲାଇ ବ୍ରହ୍ମଜ୍ଞାନ

ସଂସାର ଭିତରେ ଯେତେ ଦେଖୁଛୁ ସ୍ୱରୂପ

ଜ୍ୟୋତି ରୂପେ ନାମ ତହିଁ ହୋଇଅଛି ଗୁପ୍ତ

ରୂପକୁ ଘେନିଣ ନାମ ଲୀଳା କରୁଅଛି

ଶେଷ ରୂପକୁ ନାମ ଯେ ଗଭୀର ଧରୁଛି

ସେ ରୂପଟି ଅଣାକାର ଅବ୍ୟକ୍ତ ଅଟଇ

ଯେଉଁ ରୂପରୁ ଅଶେଷ ବର୍ଣ୍ଣାକ୍ଷରଛୁଇଁ

ନାମ ନାମ ଉଚ୍ଚାରନ୍ତେ ମନା ମନା ହେଲା

ଏଣୁକରି ନାମେ ରୂପ ମିଶିଣ ରହିଲା

ନାମକୁ ସେ ଧରିଥିବା ଯାଏ ଦେହ ଥାଇଁ

ନାମ ବିଭିନ୍ନ ହୋଇଲେ ରୂପ ଥିବ କାହିଁ

ଅର୍ଜୁନ ବୋଇଲେ ପ୍ରଭୁ ଶୁଣ ବାସୁଦେବ

ପୁଛିବି କଥାଏ ମନୁ ସଂଶୟ ଫେଡ଼ିବ

ନାମରୁ କି ରୂପ ଯେ କି ରୂପୁଁ ନାମ ହେଲା

ଏ ଦୁଇକଥାରେ ମୋତେ ସନ୍ଦେହ ଲାଗିଲା

ଶ୍ରୀହରି କହିଲେ ଆହେ ଧନଞ୍ଜୟ ଶୁଣ

ସଂଶୟ ତୁଟାଇ ତୋତେ କହି ଦେବା ଜାଣ

ଆଗହୁଁ ଯେ ନାମ ଥିଲା ରୂପକୁ ଗଢ଼ିଲା

ରୂପର ଭିତରେ ନାମ ପୂରି ପ୍ରକାଶିଲା

ନାମକୁ ଚିହ୍ନିଲେ ସିନା ରୂପକୁ ଜାଣିବ

ରୂପ ନ ଥିଲେଣ ନାମ କାହିଁ ଭଣାଇବ

ନାମ ରୂପ ଧରି ରୂପ ଉଦୟ ଜଗତେ

ସଂଶୟ ଫିଟାଇ ପାଥ କହି ଦେଲି ତୋତେ

ଅଲେଖ ରୂପରେ ଯୋଗମାୟା ଶକ୍ତିପରେ

ବିଜେ କରି ମହାଉର୍ଦ୍ଧ୍ୱେ ମଧ୍ୟେ ଲୀଳାକରେ

ପୁଣି ପଚାରଇଁ ପାଥ ଶିରେ କର ଦେଇଁ

କେତେ କଳା ଘେନି ନାମ ଉଦେ ହୋଇଥାଇଁ

କାହୁଁ ନାମ ଉପୁଜିଲା ରୂପ କାହୁଁ ହେଲା

ଏ ଦୁଇ କଥାରେ ମୋତେ ସନ୍ଦେହ ପଡ଼ିଲା

ଅର୍ଜୁନକୁ ଶ୍ରୀହରି ଯେ କହନ୍ତି ବଚନ

କହିଲି ଯେତେ ଏ ସବୁ ଏଥିର ବିଧାନ

ଅନାମରୁ ନାମ ଗୋଟି ହୋଇଲା ଜନମ

ଅନାମ ଅଟଇ ଯେ ପରମ ଶୂନ୍ୟଧାମ

ଷୋଳକଳା ଘେନ ନାମ ଉଦୟ ହୋଇଲା

ବାରକଳା ଘେନିଣ ସଂସାରେ ବିହରିଲା

ଆଉ ଚାରିକଳା ଅନ୍ତରୀକ୍ଷ ହୋଇ ରହି

ଶବ୍ଦ ଗନ୍ଧର ରୁପ ରସ ଏ ଚାରି ମିଶାଇଁ

ଚାରିବେଦ ମଧ୍ୟରେ ଯେ ବିରାଁଜଇ ନାମ

ଚତୁର୍ଭୁଜ ଧରି ତହିଁ କରିଛି ବିଶ୍ରାମ

ହଂସ ଖେଳ ନାମ ସେହୁ ଭାଷଇ ଶବଦ

ଗୋଚର ଇନ୍ଦ୍ରିରେ ଥାଇଁ କର୍ମେନ୍ଦ୍ରରେ ଭେଦ

ନାମର ମହିମା ପାଥ ଅତି ଅଗୋଚର

ହେତୁ କରି ମୃତ୍ୟୁଞ୍ଜୟ ହେଲେଟି ଶଙ୍କର

ହେତୁ ନ କରିଣ ବ୍ରହ୍ମା ତେଣୁ ହୋଏ ନାଶ

ନାମ ବ୍ରହ୍ମ ଚରାଚର ପୁରି ଚତୁର୍ଦ୍ଦଶ

ମନକୁ ଅମନ ଯେବେ କରିପାରୁ ତୁହି

ଅବିଦ୍ୟା ମଧ୍ୟେ ପୂରିଛି ତଳେ କର ତୁହି

ଅର୍ଜୁନ ବୋଇଲେ ପ୍ରଭୁ ଲାଗିଲା ସନ୍ଦେହ

ମନ ଅମନ କେମନ୍ତେ ହୋଏ ତାହା କହ

ଶ୍ରୀହରି ବୋଇଲେ ତୁ ଯା ପୁଛିଲୁ ଅର୍ଜୁନ

କହୁଛି ସୁଚିତ୍ତେ ଏହା ତନ୍ନ ଙ୍କରି ଘେନ

ଚଳ ଶକ୍ତି ଚଞ୍ଚଳ ଏ କଳ୍ପନାଦି କରି

ଖେଳୁଛି ମନ ରୂପରେ ମାୟାକୁ ଆବୋରି

ନିର୍ବିକଳ୍ପ ନିର୍ମୋହ ଯେ ସ୍ଥିରଚିତ୍ତ ହୋଇ

ମହାନିତ୍ୟ ହେଲେ ମନ ଅମନ ବୋଲାଇ

ତୁ ମୋହର ଜୀବଆତ୍ମା ମୁଁ ତୋର ପରମ

ତେରୁ କହିଲଟି ତୋତେ ଜ୍ଞାନରସ ମର୍ମ

ଶୁଣିକରି ଅର୍ଜୁନ ହୋଇଲେ କୃତ କୃତ

ନିସ୍ତରିଲି ନିସ୍ତରିଲି ହୋଇଲି ମୁକତ

ତୁମ୍ଭର ଦର୍ଶନେ ଦେହ ଥାଉଁ ମୁକ୍ତ ହୋଇ

କୋଟି କଳ୍ପାନ୍ତରେ ଯୋଗୀ ଜାଗି ନ ପାରଇଁ

କହିଲି ମୁଁ ଯେତେ ତୋତେ ଜ୍ଞାନ ପରସଙ୍ଗ

ରସିଲେଟି ମୁକ୍ତି ପାଥ ମିଶିଲେଟି ସଙ୍ଗ

ସାଧି କରି ସିଦ୍ଧ କଲେ ଅଜାମର ହୋଇ

ଜଗନ୍ନାଥ ସେବିଣ ଯେ ଅଚ୍ୟୁତ କହଇ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ଚତୁର୍ଥୋଽଧ୍ୟାୟଃ ।

 

ପଞ୍ଚମ ଅଧ୍ୟାୟ

ଶ୍ରୀହରି ବୋଲନ୍ତି ଶୁଣ ଅର୍ଜୁନ

ମହାନ୍ତ ଆଶ୍ରେ କଲେ ହୋଏ ଜ୍ଞାନ

ସଂସାରଯାକରେ ପୂରି ମହାନ୍ତ

ତାର ତହିଁ ଏ ସୃଷ୍ଟି ଆତଜାତ

ଅର୍ଜୁନ ବୋଇଲେ ଭୋ ଜଗନ୍ନାଥ

କାହାକୁ ସେ ପୁଣ ବୋଲି ମହାନ୍ତ

କାହିଁ ରହିଛି ସେ କେମନ୍ତ ଜନ

କାହୁଁ ସେ କେମନ୍ତେ ହେଲା ଉତ୍ପନ୍ନ

କହନ୍ତି ହରି ଶୁଣ ପଣ୍ଡୁ ଶିଷ୍ୟ

ମହାଶୂନ୍ୟରୁ ମହାନ୍ତ ପ୍ରକାଶ

ଅଶେଷ ବର୍ଣ୍ଣ ମହାନ୍ତ ଧଇଁଲା

କଳ୍ପଣାରୁ ଏ ସୃଷ୍ଟି ଜାତ କଲା

ସ୍ଥାବର ଜଙ୍ଗମ କୀଟାଦି କରି

କରୁଛି ଲୀଳା ସୃଷ୍ଟିକି ଆବୋରି

ମହାନ୍ତ ରହିଛି ଯୋଗକୁ ଘେନି

ଯୋଗରେ ସିନା ମହାନ୍ତକୁ ଚିହ୍ନି

ଯୋଗପୁରୁଷ ମୁଖୁଁ ପଞ୍ଚବେଦ

ପଞ୍ଚଭୂତ ପଞ୍ଚବେଦରେ ଭେଦ

ଯୋଗରୁ ଜନ୍ମ ଅମ୍ବିକା ମହିମା

ଅଯୋନିସମ୍ଭୂତ ଯେଉଁ ପ୍ରତିମା

ସେ ଭବଦ୍ୱାର ନାହିଁ ଅବିକାର

ଦେଖି ମହା ପୁରୁଷ ଚମତ୍କାର

ଅଙ୍ଗୁଷ୍ଠି ଘେନି କାଟି ଭବଦ୍ୱାର

ତହୁଁ ଜାତ ବ୍ରହ୍ମା ବିଷ୍ଣୁ ଶଙ୍କର

ଏରୂପେ ତ୍ରିଗୁଣ ହେଲା ସଂଜାତ

ଏଥୁଁ ଜନ୍ମିଲା ଅଶେଷ ଜଗତ

ଶୁଣିଲୁ କି ପାଥ କହିଲି ତୋତେ

ଆଉ କଥା ଥିଲେ ପଚାର ମୋତେ

ଶୁଣି ଅର୍ଜୁନ କୃତ କୃତ ହୋଇ

ଆହୁରି କଥାଏ ପଚାରିବଇଁ

ପଞ୍ଚ ବେଦ କଥା କହିଲ ମୋତେ

ସେ ପୁଣ କାହିଁ ରହିଲା ଗୁପତେ

ଚାରିବେଦ ପୁଣ ରହିଲା କାହିଁ

କେ କାହାକୁ କେଉଁ ଠାବରେ ଧ୍ୟାଇ

ଶ୍ରୀହରି କହନ୍ତି ଶୁଣ ବିବତ୍ସି

ଗୁପତ ହୋଇ ଚାରିବେଦ ଅଛି

ତୋତେ କହିବା ପଞ୍ଚବେଦ କଥା

ତାହା ସେ ଜାଣନ୍ତି ଯେ ପଞ୍ଚମଥା

ପଞ୍ଚବେଦ ପାଥ ଯାହାକୁ କହି

ମହାନ୍ତ ଯୋଗପୁରୁଷ ଟି ସେହି

ହତ ନୋହିବାରୁ ସେ ଅନ୍ତର୍ହିତ

ଉର୍ଦ୍ଧ୍ୱମୁଖେ ଯୋଗ ସାଞ୍ଚଇ ତବ

ଏବେ ଶୁଣ ଚାରିବେଦ ଆଖ୍ୟାନ

ତାହା ଜାଣନ୍ତି ଚତୁର ବଦନ

ଚାରି ବେଦ ଚାରି ବଦନେ ରୁନ୍ଧି

ବ୍ରହ୍ମଗାୟତ୍ରିକି ତହିଁରେ ଛନ୍ଦି

ନିରାକାର ବ୍ରହ୍ମ ଏମନ୍ତ କଲେ

ଚାରିବେଦ ବ୍ରହ୍ମାଙ୍କୁ ସମର୍ପିଲେ

ବେଦ ଘେନି ବ୍ରହ୍ମା ପାତିଲା ଛନ୍ଦ

କର୍ମେ ଆତଯାତ ସଂସାରବନ୍ଧ

ଚାରି ଯୁଗରେ ରହିବ ମହିମା

ଅପୂଜା ହେବୁ କଳିଯୁଗେ ବ୍ରହ୍ମା

ନିରାକାର ବ୍ରହ୍ମ ଏମନ୍ତ ଭାଷି

ତୋ ଆଗେ କହିଲି ପଣ୍ଡୁର ଶିଷି

ପୁଣି ପଚାରଇ ପାଣ୍ଡୁ କୁମର

କାହିଁରେ ଯୋଗୀ ଲୟ ସୂନ୍ତ୍ରଧାର

ଏହା କହିବା ମୋତେ ମହାବାହୁ

ଶୁଣିକରି ମୋର ସଂଶୟ ଯାଉ

ଶ୍ରୀହରି କହନ୍ତି ଯୋଗ ବିଚାର

ଯେଉଁ ଯୋଗରୁ ଏସଚରାଚର

ଏ ଯୋଗ ଅବ୍ୟକ୍ତ ଅଟଇ ବୀର

ଏକା ଜାଣେ ଭକ୍ତଯୋଗୀ ମୋହର

ଏହି ବ୍ରହ୍ମଯୋଗ ଲୟ ସୂତ୍ରରେ

ଜାଗି ରହି ଯୋଗୀ ଖେଳେ ଶୂନ୍ୟରେ

ଏହି ଯୋଗ ଆଶ୍ରେ କଲେ ହୋ ବୀର

କର୍ମବନ୍ଧରୁ ହୋଇବ ନିସ୍ତାର

ଶ୍ରୀଜଗନ୍ନାଥ ଶ୍ରୀମୁଖ ବଚନ

ଜ୍ଞାନପ୍ରଦୀପ ଏ ଗୀତା ଲିଖନ

ଶ୍ରୀଜଗନ୍ନାଥ ପାଦଅରବିନ୍ଦ

ଧ୍ୟାଇଣ କହଇ ଅଚ୍ୟୁତାନନ୍ଦ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣଅର୍ଜୁନସମ୍ବାଦେ ନାମ ପଞ୍ଚମୋଽଧ୍ୟାୟଃ ।

 

ଷଷ୍ଠ ଅଧ୍ୟାୟ

କହଇ ଅର୍ଜୁନ ଶୁଣ ଦାଶରଥି କଥାଏ କହଇଁ ତୋତେ

କିରୂପେ ଏ ସୃଷ୍ଟି କାହୁଁ ଜାତ ହେଲା ଆଜ୍ଞା ଦେବ ନାଥ ମୋତେ

ମର୍ତ୍ତ୍ୟପୁର ବୋଲି କାହାକୁ କହନ୍ତି ସଂଶୟ ହୋଇଲା ମୋର

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ କେ କହ କେବଣ ପ୍ରକାର

କହନ୍ତି ଶ୍ରୀହରି କହିବା ବିସ୍ତାରି ଶୁଣ ତୁ ହୋ ପଣ୍ଡୁସୁତ

ନିରାକାର ବ୍ରହ୍ମ ଶ୍ରୀଅଙ୍ଗ ମଳିରୁ ମେଦାସୁର ହେଲା ଜାତ

ସେହି ଅସୁରକୁ ମାରି ମହାପ୍ରଭୁ ମେଦମେଦା ଭିଆଇଲେ

ହାଡ଼ ତା ପ୍ରାଣ ପୃଥିବୀ ମାଂସ ପୁଣ ମୁଂ ହୁଂ ଚାରିଦିଗ ହେଲେ

ମେଦାସୁର ମଲା ମହୀ ବୋଲାଇଲା ମୁକାର ବହିଲେ ପ୍ରାଣୀ

ମରିବାରୁ ମର୍ତ୍ତ୍ୟପୁର ବୋଲାଇଲା କହିଲି ତୋତେ ବଖାଣି

ଅର୍ଜୁନ ବୋଇଲେ ଶୁଣ ମହାପ୍ରଭୁ ଲାଗିଲା ମୋତେ ସନ୍ଦେହ

ପୃଥ୍ୱୀତ ନ ଥିଲା ଜନ କାହିଁଥିଲା ଏହା ମୋତେ ନାଥ କହ

ଶ୍ରୀହରି ବୋଲନ୍ତି ଶୁଣ ତୁ ବିବତ୍ସି ମହାବିଷ୍ଣୁ କଳ୍ପଣାରୁ

ଏକା ନିଶ୍ୱାସକେ କୋଟି ଅବତାର ହେଲେ ଗଜ କୀଟଠାରୁ

ପ୍ରଥମେ ମହାପ୍ରଭୁଙ୍କ ନିଜକାୟାରୁ ସେ ବ୍ରହ୍ମା ହେଲେ ଜାତ

ସୃଷ୍ଟି ସର୍ଜନାକୁ ଚାରିବେଦ ଘେନି ତ୍ରିଗୁଣେ ବାନ୍ଧ ଜଗତ

ବିଷ୍ଣୁପାଳିତ ଗୁଣକୁ ଘେନି ଜାତ ହେଲେ ବିଶ୍ୱବାସ ହୋଇଁ

ବିଶ୍ୱ ବିନାଶ କରିବା ଗୁଣହେତୁ ଘେନି ରୁଦ୍ରନାମ ବହି

ଅର୍ଜୁନ ବୋଲଇ ଶୁଣିମା ଭେନାଥ ରହିଣ କହ ତଦନ୍ତ

ଆପେ ଜାତକଲେଁ ଆପଣେ ପାଳିଲେ ଆପେ ନାଶିଲେ କେମନ୍ତ

କହନ୍ତି ଶ୍ରୀହରି ଶୁଣ ତଥ୍ୟକରି ଶିବମନୁ ପଞ୍ଚବେଦ

ଜୀବରୂପରେ ସଚରାଚର ସେ ଯେ ବ୍ୟାପିଲା କହିଲୁଁ ଭେଦ

ଯହୁଁ ଜନମିଲା ତହିଁରେ ରହିଲା ଗଲେ ରହିବ ସେଠାଇଁ

ଶୁଣିମାକୁ ସିନା ଆଶ୍ଚର୍ଯ୍ୟ ଲାଗୁଛି ବୁଝିଲେ ଅବୋଧ ନୋହି

ଏ ଚାରି ବେଦ ସଂସାର ଆଚରିଲେ କର୍ମବନ୍ଧକୁ ସେ ଘେନି

କାହୁଁ ଅଇଲା ଏ କିରୂପେ ରହିଛି କର୍ମବନ୍ଧନକୁ ଘେନ

ପଞ୍ଚଦେବ ସେ ଯେ କୁଣ୍ଡଳିନୀ ବୋଲି ମହାଶକ୍ତି ନାମ ତାର

ତ୍ରିପୁରା ଘାଟ ସେ ବାଟ ଜଗିଛଇ ଦୋମୁଁହା ସର୍ପ ଯହିଁର

ସେହିଠାରେ ଉଦେ ଅସ୍ତ ପୂର୍ଣ୍ଣଗିରି ତିନି ଗିରି ଏକଅଙ୍ଗ

ଗିରିଶୃଙ୍ଗ ପରେ ମାନସରୋବର ତହିଁ ଯେବେ ହେବୁ ସଙ୍ଗ

ମାନସରୋବରେ ତା ଚଉପାଶରେ ଅବନା ଫୁଲ ଫୁଟିଛି

ଅଷ୍ଟ ପାଖୁଡ଼ାରେ ସେ ଫୁଲ ନିର୍ମାଣ ତଲ୍ଲେ କର ହୋ ବିବତ୍ସି

ସେହି ସରୋଚର ମଧ୍ୟେ ଦ୍ୱୀପଖଣ୍ଡି ତଥିପରେ ଚକ୍ର ସାଜେ

ତହିଁପରେ ଅବଧୂତ ବାନା ଉଡ଼େ ଯହିଁ ବିଜେ ଦେବରାଜେ

ଅର୍ଜୁନ ଶୁଣି କୃତକୃତ ହୋଇଲା ପୁଛଇ ସେ ଜ୍ଞାନସୀମା

କାହିଁ କିରୂପେ ବିଜୟେ କରି ଅବା ଦେବାଧିରାଜ ମଣିମା

ଅର୍ଜୁନ ଉଦାର ବଚନ ଶୁଣିଣ କହନ୍ତି ସ୍ୱରୂପ ବାଣୀ

ନୀଳକନ୍ଦ ମଧ୍ୟେ ରତ୍ନସିଂହାସନ ତହିଁ ବିଜେ ଚକ୍ରପାଣି

ଗରୁଡ଼ଖମ୍ବ ପାରୁଶେ ଉଭା ହୋଇ ଚାହିଁଲେ ଶ୍ରୀମୁଖ ଦିଶି

ଚତୁର୍ଦ୍ଧାରୂପ ଚାରିକଳା ଘେନିଣ ରୈାଦ ଭୁବନ ପ୍ରକାଶି

ଯହିଁରେ ଗାୟତ୍ରି ପାବଚ୍ଛ ହୋଇଛି ଚାରିବେଦ ଚାରିଦ୍ୱାର

ଯୋଗମାୟା କୋଳେ କାଳକମଳରେ ଜ୍ୟୋତିରାନନ୍ଦ ବିହାର

ଇଁ ଅଳା ପିଁ ଅଳାକୁ ଆୟତ୍ତ କରି ଶିଷୁମୁନାଦ୍ୱାରେ ମିଶି

ଗିରି ସିନ୍ଧୁ ମଧ୍ୟେ ଅନନ୍ତ ଶଯ୍ୟାରେ ଦେଖିବୁ ତୁ ବ୍ରହ୍ମରାଶି

ଏହିରୂପେ ଚତୁର୍ଦଶ ଭୁବନରେ ପୂରି ପ୍ରକାଶିଛି ରହି

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଚାରିଖାନି ଅଟେ ସେହି

ବିଶୁଦ୍ଧ ଚିତ୍ତ ନିର୍ମଳ ଆତ୍ମା ଯାର ତାକୁ ଏ ଜ୍ଞାନ ଅମୃତ

କୁଟିଳ ଲମ୍ପଟୀ ଦାମ୍ଭିକ କପଟୀ ସେମାନଙ୍କୁ ବିଷକୃତ

ତୁ ଯେଣୁ ମୋହର ଜୀବଆତ୍ମା ପାଥ ତେଣୁ ମୁଁ କହିଲି ତୋତେ

ଗୁରୁ ଗୁପ୍ତବାଣୀ ତୋତେ ଯେ କହିଲି ଆତ୍ମା କରି ଘେନ ଚିତ୍ତେ

ତୋହରି ଦେହ ଯେ ତୋତେ ଜ୍ଞାନଖଣ୍ଡ ତହିଁ ଦେଖ ତୁହି ମୁହିଁ

ଆଉ କି କହିବି ଏକଭାବେ ଭାବ ଏଥୁ ଜ୍ଞାନ ଆଉ ନାହିଁ

ପାଥ ଶୁଣିକରିଂ ସଂଶୟ ତୁଟିଲା ଚିତ୍ତରେ ହୋଇ ଆନନ୍ଦ

ଅଭୟପାଦପଦ୍ମ ଆଶ୍ରେ କରି କହଇ ଅଚ୍ୟୁତାନନ୍ଦ

 

ଈତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଂଦେ ନାମ ଷଷ୍ଠୋଽଧ୍ୟାୟଃ ।

 

ସପ୍ତମ ଅଧ୍ୟାୟ

ଶ୍ରୀକୃଷ୍ଣ ମୁଖକୁ ଅର୍ଜୁନ ଚାହିଁ

ବିନୟ ଭାବେ କୃତକୃତ ହୋଇ

ବ୍ରହ୍ମପ୍ରଳୟ ହେଲା ଯେତେବେଳେ

ସବୁ ସଂହରିଲା କାରୁଣ୍ୟଜଳେ

ଆବର କଥାଏ କହି ଶ୍ରୀହରି

ଲୁଚାଇଁ ଅଛ କିପାଁ ଗୋପ୍ୟ କରି

ସେକଥା ନାମ କହ ଦେବମୋତେ

ତେବେ ମୋ ମନେ ପାଇବି ପରାତେ

ବ୍ରହ୍ମପ୍ରଳୟ ଯେ ହୋଇଣ ଗଲା

ସକଳ ଜୀବ ଜନ ନାଶ କଲା

ଦଶଲକ୍ଷ ଯୋଜନ ଅତି ସଞ୍ଚେ

କାରୁଣ୍ୟଜଳ ଘେନି ଏତେ ଉଚ୍ଚେ

ଜୀବମାତ୍ରକ ହୋଇ କିଛି ନାହିଁ

ସେ ବେଳେ ନାଥ ଥିଲ ତୁମ୍ଭେ କାହିଁ

ଏହା ଯେ ପ୍ରଭୁ କହିଦେବ ମୋତେ

ନ କହି ଲୁଚାଇଅଛୁ ଗୁପତେ

ଶ୍ରୀକୃଷ୍ଣ ବୋଇଲେ ଶୁଣ ଅର୍ଜୁନ

କହିଦେବା ତୋତେ ଏଥି ବିଧ୍ୟାନ

ଯେବଣ ଦିନେ ବେଦମନ୍ତ୍ର ମଲା

ବ୍ରହ୍ମାଣ୍ଡଯାକ ପ୍ରଳେ କ୍ଷୟ ଗଲା

ସେ ଦିନେ ପାଥ ନୀଳଗିରି ସ୍ଥାନ

ଉତ୍ସର୍ଗ ଅଟେ ସହସ୍ରେ ଯୋଜନ

କଳପବଟ ଯେ ସେହି ସ୍ଥାନରେ

କ୍ଷୟ ନ ଯାଇଁ ସେହି ପ୍ରଳୟରେ

ସେହି ବଟପୁଟରେ ଆମ୍ଭେ ଥାଉଁ

ସେ ସ୍ଥାନଛାଡ଼ି କାହିଁକି ନ ଯାଉଁ

ବ୍ରହ୍ମାଣ୍ଡ ପ୍ରଳେ ନାଶଯିବା କଥା

ଦେଖିଣ ଆମ୍ଭେ ପାଉଁ ବଡ଼ ବ୍ୟଥା

ତାହା ଶୁଣିକରି କହେ ଅର୍ଜୁନ

ସେ ତରୁ କେଡ଼େ ଉଚ୍ଚ ହୋଏ ପୁଣ

କେମନ୍ତ ଭାବେ ତହିଁ ତୁମ୍ଭେ ଥାଅ

କିରୂପେ ତହିଁ କେତେବେଳେ ଯାଅ

ଅର୍ଜୁନ ବଚନ ଶୁଣି ଶ୍ରୀପତି

ବୋଲନ୍ତି ଶୁଣ ହେ ପଣ୍ଡୁସନ୍ତତି

ଆମ୍ଭଙ୍କୁ ପୁଣା ତୁ ଯାହା ପଚାରୁ

ଅନନ୍ତ ମୂର୍ତ୍ତି ଅଟଇ ସେ ତରୁ

ବ୍ରହ୍ମାଣ୍ଡ ପ୍ରଳୟ ସମୟେ ପୁଣ

ଜଳ କ୍ଷେପଇ ଦଶଲକ୍ଷ ଯୁଣ

ଜଳକୁ ଛାଡ଼ି ବାରୟଣ ସଞ୍ଚେ

ସେ ବଟ ବଢ଼ି ଯାଇ ଅତି ଉଚ୍ଚେ

ଆକାଶେ ଯାଇ ଲାଗିଥାଇ ଶିଖା

ସେ ବଟ ପରେ ଆମ୍ଭେ ଥାଉଁ ଏକା

ବୈକୁଣ୍ଠପୁର ନୀଳଗିରି ସ୍ଥାନ

ତହିଁ ସେ ବଟ ହୋଉଁ ଉତପନ

ସେବ ବଟପୁଟେ ସୁଖଭାବ ଯେତେ

ବୈକୁଣ୍ଠ ସୁଖଭାବ ନୋହେ ତେତେ

ସେ ସ୍ଥାନ ପାପ ଭେଦାଭେଦ ନାହିଁ

ବୈକୁଣ୍ଠ ସୁଖଭାବ ନୋହେ ତେତେ

ଆମ୍ଭର ସେହୁ ବଡ଼ ପ୍ରୀତିସ୍ଥାନ

ଯହିଁ ଥିଲେ ତହିଁ କରୁ ବିଶ୍ରାମ

ପୂର୍ବରୁ ଆମ୍ଭେ କରିଅଛୁଁ ସତ୍ୟ

ପ୍ରସବେ ହତ ହୋଇବା ତଦନ୍ତ

ପ୍ରତିମାଭଗ୍ନ ହୋଇଗଲେ

ସେ ସ୍ଥାନ ମୁହିଁ ନ ଛାଡ଼ଇ ଭଲେ

ପବିତ୍ର ସ୍ଥାନ ଅଟେ ସିନ୍ଧୁତଟ

ପାତାଳରୁ ଫିଟିଅଛି ସେ ବାଟ

ପୁଣି ବୃତ୍ତାନ୍ତ ବୋଲଇ ଅର୍ଜୁନ

କହ ସେ ବଟ କେତେ ଉଚ୍ଚ ପୁଣ

ତହିଁ ରେ ତୁମ୍ଭେ କଲ ନିଜ ଠଣା

କିପାଁ ତହିଁ ପାଣି ନୋହେ ବୁଡ଼ଣ

ତେଣୁ ମୁଁ ତୋତେ ପଚାରୁଛି ହରି

ଏ କଥା ତତ୍ୱ କହ ଫେଡ଼ିକରି

ପ୍ରଭୁ ବୋଇଲେ ଶୁଣ ପଣ୍ଡୁସୁତ

ତିହି ଯେ ପଚାରି ପାରୁ ଏ ତଚ୍ଛ

ସେ ଜଳ ଯେତେ ଦୂର ଖେଦି ଯାଇ

ବଟ ଯେ ସେତେ ଦୂରକୁ ବଢ଼ଇ

ପ୍ରଳୟଜଳ ତୁଟଥାଇ ଯେତେ

ବଟ ଉତ୍ସର୍ଗ ତୁଟୁଥାଇ ତେତେ

ଯେ ଯାହା ମାଫିକରେ ଆସି ରହି

ଶୁଣ ଅର୍ଜୁନ ମନ ହେତୁ ଦେଇ

ମାନବବିଷ୍ଣୁ ନିର୍ମିତରେ ହରି

ନାଭିରୁ ପଦ୍ମବୃକ୍ଷ ଜାତ କରି

ସେ ପଦ୍ମବୃକ୍ଷ ଗୋଟିକୁ ଯେ ଲକ୍ଷ

ବ୍ରହ୍ମାଣ୍ଡ ମଧ୍ୟେ ନାହିଁ ସମକକ୍ଷ

ସତୁରି ସହସ୍ର ଯୋଜନ ଯେତେ

ପଦ୍ମର ନାଡ଼ ଗୋଟା ମୋଟ ତେତେ

ନବମ ଗୋଟି ଯେ ପାଖୁଡ଼ା ତହିଁ

ପାଖୁଡ଼ା ଗୋଟାକେ ଫୁଲ ଫୁଟଇ

ସେ ପଦ୍ମକେଶରେ ଆମ୍ଭର ମନ

ବିଧାତା ରୂପେ କରାଇଲୁଁ ଜନ୍ମ

ବ୍ରହ୍ମା ଜନ୍ମ ହୋଇଁ ସର୍ଜି ଜଗତ

ଜଗନ୍ନାଥ ଧ୍ୟାୟି କହେ ଅଚ୍ୟୁତ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ସପ୍ତମୋଽଧ୍ୟାୟଃ ।

 

ଅଷ୍ଟମ ଅଧ୍ୟାୟ

ଅର୍ଜୁନ ବୋଲଇ ଶୁଣ ଭାବଗ୍ରାହି ସଂଶୟ ହୋଇଲା ମୋତେ

ବ୍ରହ୍ମା ଜାତ ହୋଇ କେଉଁ କୃତ୍ୟ କଲେ ଆଜ୍ଞା ହେଉ ନାଥ ମୋତେ

ଶ୍ରୀହରି ବୋଇଲେ ଶୁଣ ହୋ ଅର୍ଜୁନ ବ୍ରହ୍ମାପଦ ତାକୁ ଦେଉଁ

ସୃଷ୍ଟିର ଭିଆଣ ଏରୂପେ ହୁଅଇ ସେ କଥାମାନ ଯେ କହୁଁ

ଅମର ମର୍ତ୍ତ୍ୟ ପାତାଳ ତିନିପୁରେ ଚଉଦଭୁବନେ ଜତା

ସ୍ୱର୍ଗଲୋକ ନାଗଲୋକ ମର୍ତ୍ତ୍ୟଲୋକ ସବୁଙ୍କରି ସେହୁ ପିତା

ସକଳ ଲୋକଙ୍କୁ ସଞ୍ଜୀବନୀ ମନ୍ତ୍ରେ ଜାତ କଲା ସେ ଜଗତ

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଚାରିଖାନ ଏ ସମସ୍ତ

କାରୁଣ୍ୟଜଳ ପ୍ରଳୟ କରାଇଲି ଯହୁଁ ଆସିଥିଲା ପୁଣ

ବର୍ଣ୍ଣ ଚିହ୍ନ ତାର କିଛି ନ ଦିଶଇ ତହିଁ ଯାଇଁ ହେଲା ଲୀନ

ଯେଉଁ ବିମ୍ବରୁ ସେହି ଆସିଥିଲାକ ସେହି ବିମ୍ବରେ ପଶିଲା

ସେହି ବଟ ମୁଦି ସପ୍ତଦୀପ ଶୋଧି ପ୍ରଳୟେ ତହିଁ ମିଶିଲା

ବ୍ରହ୍ମା ଯେ ଭିଆଣ ଜଗତରେ କଲା ସ୍ଥାବର କୀଟାଦି ଜନ

ସକଳ ଜନ୍ତୁର ଯେ ଯେଉଁ ବିଧାନ ଯାକୁ ଯେଉଁ ଭାବମାନ

ଯାହାର ଯେମନ୍ତ ତାହାଙ୍କୁ ନିର୍ମାଣ କରଇଁ ସମ୍ପଦିଭାବେ

ମେରୁ କନ୍ଦର ଗୁହ୍ୟବନ ପାତାଳେ ନେଇଁ ଥୋଇ ଠାବେ ଠାବେ

ଏମନ୍ତ ପ୍ରକାରେ ବ୍ରହ୍ମାଣ୍ଡ ରଚନା କରୁଥାଇ ତାହା ବିଧି

ସେହି ପ୍ରକାରରେ ସର୍ବ ଜନ୍ତୁ ଠାରେ ରହିଥାଇ କର୍ମ ସାଧି

ମାନବବିଷ୍ଣୁ ସିନା ଆମ୍ଭେ ବୋଲାଉଁ ବ୍ରହ୍ମାଣ୍ଡ ପାଳକନାଥ

ତୁ ଯେ ପୁଛିଥିଲୁ ବିଧାତା ବିଧ ନ ଶୁଣିଲୁଟିକି ହୋ ପାଥ

ଅର୍ଜୁନ ବୋଲଇ ଶୁଣ ଦେବହରି କଥା ଏ ପୁଛଇଁ ତୋତେ

ଏ ସୃଷ୍ଟି ପାତନା କେଉଁ କଥା ମାନ ଆଜ୍ଞା ହେଉ ନାଥ ମୋତେ

କେଉଁ ଯୁଗରେଟି କି କି କଥାମାନ ଜାଣଇଁ ଏଥି ବାରତା

କେଉଁ ଯୁଗରେ କେଉଁ ଭୋଗମାନ ଯେ କିରୂପେ କେଉଁ ବ୍ୟବସ୍ଥା

ଶ୍ରୀହରି ବୋଲନ୍ତି ଶୁଣ ହୋ ଅର୍ଜୁନ କହୁଛି ମୁଁ ତୋତେ ଯାହା

ଅପ୍ରତେ ନ କରି ସନ୍ତୋଷ ମନରେ ଶୁଣ ସୁଭଦ୍ରାର ନାହା

ଯେତେବେଳେ ଏହି ସପ୍ତଦ୍ୱୀପା ମହୀ ନ ଥିଲେ ଜୀବାଦି କେହି

ତହୁଁ ଥୋକାଏକ ଦିନାନ୍ତରେ ମହୀ ବୃକ୍ଷମୟ ସବୁ ହୋଇ

ବଞ୍ଚିଲେ ଯେ ଯାହା ମୂଳେ ରସ ଘେନ ଲାଗିଲେ ନଭୋମଣ୍ଡଳେ

ଲତା ଗହନ ଅଗମ୍ୟ ବନଭୂମି ଶେଷ ନୋହିଣ ବଞ୍ଚିଲେ

କେଉଁ ବୃକ୍ଷ ପାଞ୍ଚ ଯୋଜନ ବଢ଼ିଲା କେ ବଢ଼ି ବେନ ଯୋଜନ

କାର କାୟା ତିନି ଯୋଜନ ବଢ଼ିଲା ଚାରି ଯୋଜନ ପ୍ରମାଣ

କାହାର ଡ଼ାଳ କୋଡ଼ି କୋଡ଼ି ହୋଇଣ ଶାଖାମାନ ପଲ୍ଲବିଲେ

ଯେଣିକି ଚାହିଁଲେ ଆନ କିଛି ନାହିଁ ସବୁହିଁ ବୃକ୍ଷ ଦିଶିଲେ

ସେ ଯୁଗ ଗୋଟା ଏହିମତେ ନାଶିଲା ଶୁଣ ତୁ ହୋ ପଣ୍ଡୁସୁତ

ପୁଣି ତହୁଁ କିଛି ଦିନାନ୍ତେ ବ୍ରହ୍ମାଣ୍ଡ ମଧ୍ୟେ ପୂରିଲା ପର୍ବତ

ଶତେ ଯୋଜନ ଲମ୍ବ କେଉଁ ପର୍ବତ ବେନିଶତ କେ ଆରମ୍ଭ

କେହୁ ଚାରିଶତ ଯୋଜନ ବଢ଼ିଲା କେହୁ ତିନିଶତ ଲମ୍ବ

ଏମନ୍ତେ ପର୍ବତ ପୂରିଗଲା ମହୀ ଆନ ଜନ୍ତୁ କେହି ନାହିଁ

ଏ ଯୁଗ ଗୋଟା ଏହିମତେ ଗଲା ଯେ ଆନ ଯୁଗ ପୁଣ ହୋଇ

ତହିଁ ଉତ୍ତାରେ ଯେ ବ୍ରହ୍ମାଣ୍ଡ ମଧ୍ୟରେ ତୃଣମାନ ଉପୁଜିଲା

କେ ବଢ଼ିଲା ଶତହାତ କେ ସହସ୍ର ଜଗତଯାକ ପୂରିଲାଂ

ତୃଣ ବ୍ୟତ୍ରକେ ଆନ ନାହିଁ ମହୀରେ ଏହା ଦେଖିଅଛି ମୁହିଁ

ସେ ଯୁଗ ଗୋଟା ଏହିମୃତେ ଗଲାଟି ଶୁଣ ତୁ ସୁଭଦ୍ରାସାଇଁ

ଆର ଯୁଗ କଥା କହିବା ହୋ ତୋତେ ଶୁଣ ତୁ ଯୁଧିଷ୍ଠି ଭାଇ

ବାଲି ବ୍ୟତ୍ରକେ ହୋ ବ୍ରହ୍ମାଣ୍ଡ ମଧ୍ୟରେ ମାଟି ବୋଲି କିଛି ନାହିଁ

ତିଳମାତରକ ମାଟି ତଲାସିଲେ ବାଲି ବିନା ମାଟି ନାହିଁ

ସେ ଯୁଗଟି ଏହିମତେ କ୍ଷୟ ଗଲା ପୁଣି ଅଗ୍ନିମୟ ମହୀ

ଦଶସହସ୍ର ବରଷ ବହିଗଲା ସେ ଅଗ୍ନିଟି ଜଳୁଥିଲା

ପୁଣି ସେ ମେଦିନୀ ଯୁଗ ଦୁଇ ତିନି ପାଉଁଶ ହୋଇ ରହିଲା

ଜନ ମନୁଷ୍ୟ ନ ଥିଲେ ସେ ବେଳରେ ତାହା ଦେଖିଅଛି ଡ଼ୋଳେ

ଏମନ୍ତେ କିଛି ଦିନାନ୍ତରେ ପୁଣି ଯେ ପିମ୍ପୁଡ଼ି ମହୀ ପୂରିଲେ

ସେ ଯୁଗ ଗୋଟା ଏହିମତେ ଗଲାଟି ପୁଣି ଧେନୁ ହେଲେ ଜାତ

ଆନ ଜନ୍ତୁମାନ କିଛିହିଁ ନାହାନ୍ତି ଧେନୁ ପୂରିଲେ ଜଗତ

ସେ ଯୁଗଗୋଟା ଏହିମତେ ଗଲାଟି ଆର ଯୁଗେ ହସ୍ତୀମୟେ

ବ୍ରହ୍ମାଣ୍ଡଯାକ ପୂରି ଘୋଟି ରହିଲେ ବର୍ଷ ଅଶିଲକ୍ଷ ଯାଏ

ସେ ଯୁଗଗୋଟି ଯହୁଁ ହତ ହୋଇଲା ଆରଯୁଗେ ଅଶ୍ୱ ଜାତ

ଦଶଲକ୍ଷ ବର୍ଷ ଯାଏ ପୁଣ ସେହି ଅଶ୍ୱ ପୂରିଲେ ଜଗତ

ସେ ଯୁଗଗୋଟା ଭାଗ ହୋଇ ଗଲା ଯେ ପୁଣ ହେଲା ଆର ଯୁଗ

ତାହା କହିବା ତୋତେ ଶୁଣ ହେ ପାଥ ବ୍ୟାଘ୍ର ଭାଲୁ ଖଗ ମୃଗ

ଜନ୍ତୁ ଜାତିକେ ସେ ଯୁଗ କଲେ କ୍ଷୟ ଭୋଗ କଲେଟି ଏ ମହୀ

ପତଙ୍ଗ ଭୁଜଙ୍ଗ କି ଆଦି ଯେତେକ ଛପନାକୋଟି ଜୀବହିଁ

ଯେଉଁ ଯୁଗରେ ଯେତେ ଜାତ ହୋଇଲେ ସମସ୍ତେ ହୋଇଲେ ଲୀନ

ଏବେ କହିବା ତୋତେ ଶୁଣ ହେ ପାଥ ମାନବ ଜନ୍ମ ବିଧାନ

ସ୍ଥାବର ଜଙ୍ଗମ କୀଟ ତିନିଖାନି ନ ଜାଣନ୍ତି ଶାସ୍ତ୍ରପାଠ

ମାନବ ଶରୀରେ ସମସ୍ତ ଜାଣନ୍ତି ଛପନକୋଟିରୁ ଶ୍ରେଷ୍ଠ

ଯେତେକ ବୃକ୍ଷ ଯେତେକ ଜନ୍ତୁ କୃତ୍ୟ ଏହି ଲୀଳା ଯେ ସଂସାର

ସମସ୍ତଙ୍କୁ ଭୋଗ ମାନବ କରଇ କହିଲି ତୋର ଆଗର

ଯାତ୍ରା ତୀର୍ଥ ଯେତେ ବ୍ରତ ବିଦ୍ୟମାନ ସବୁ ମାନବ କରଇ

ମାନବ ମାତ୍ରକେ ହରେରାମକୃଷ୍ଣ ନାମ କେହି ନ ଧରଇ

ଜଗତ ଅଟ୍ଟାଳି ଦଣ୍ଡସିଂହାସନ ଛତ୍ର ଚାମର ନୃପତି

ଦୁଃଖ ସୁଖ ହାନି ଲାଭ ନର ବିନା କେହି ଭୋଗ କରେ କ୍ଷିତି

ଏହି ସେ ସାମନ୍ତ ସେବକ ଅଟଇ ଏହି ସମୁଦ୍ର ବ୍ରାହ୍ମଣ

ଏହି ଦାନ ଦିଏ ଏହି ଦାନ ନିଏ ଏହି ଯେ କରେ କାରଣ

ଏହି ଯେ ସଂସାରେ ସେବକ ଅଟଇ ଏହି ଯେ ଗୁରୁ ଗୋବିନ୍ଦ

ଜଗନ୍ନାଥ ପାଦପଦ୍ମ ଆଶ୍ରେ କରି କହଇ ଅଚ୍ୟୁତାନନ୍ଦ

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସ ବ୍ରହ୍ମବିଦ୍ୟୋୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ଅଷ୍ଟମୋଽଧ୍ୟାୟଃ ।

 

ନବମ ଅଧ୍ୟାୟ

କହଇ ଅର୍ଜୁନ କରଯୋଡ଼ି ମହାବାହୁ

ପୁଛିବି କଥାଏ ମୋତେ ପ୍ରଭୁ ଆଜ୍ଞା ହେଉ

ଥୋକାଏକ ଲୋକ ଯେ ଗମାର୍ଗରେଣ ପଶି

ସାଧୁଥାନ୍ତି ବ୍ରହ୍ମଜ୍ଞାନ ଆରମ୍ଭରେ ବସି

ବିଚାରନ୍ତି ଆନ ଆନ କଥା ହୃଦୟରେ

ପ୍ରକୃତ ବଶରେ ପଡ଼ିଥାନ୍ତି ନିରନ୍ତରେ

ଏମନ୍ତତ ଲୋକ କେମନ୍ତ ଗତିକି ସେ ପାଇ

ଆଜ୍ଞା ହେଉ ଶ୍ରୀମୁଖରେ କମଳାର ସାଇଁ

ଶ୍ରୀହରି ବୋଇଲେ ଯାହା ପୁଚ୍ଛିଲୁ ତୁ ମୋତେ

ସାବଧାନ ହୋଇ ଶୁଣ କହିଦେବା ତୋତେ

ଶୁଣ ଅର୍ଜୁନ ଶ୍ରବଣେ ସେହି କଥାମାନ

ମନ ଆପଣାର କରି ହେତୁରେ ତୁ ଘେନଂ

ଯେଉଁ ଯେଉଁ ଲୋକ ଯୋଗମାର୍ଗରେ ପଶନ୍ତି

ବିତର୍କ ଶୀତଳ ଭାଷା ମନରେ ଭାଷନ୍ତି

ଅକର୍ମ ବିଦ୍ୟାର ଧନ ବହୁତ ଯେ ଶୁଣ

କହି ନୁହଇ ତାହାଙ୍କ ମହିମା ଯେ ଗୁଣ

ମିଥ୍ୟା ଆରମ୍ଭେଣ ବସି କରଇ ସାଧନ

ତାକୁ ଜାଣିବୁ କପଟୀ ଦାମ୍ଭିକଂ ସେ ଜନ

ହୃଦୟ ଅଶୁତ ଆତ୍ମା ଶୁଚିବନ୍ତ ନୋହି

ଯେତେ ଯୋଗ ଧର୍ମ କଲେ ମ୍ପୁକ୍ତି ତାଙ୍କୁ କାହିଁ

ଅମୃତଭାଣ୍ଡରେ ଯେହ୍ନେ ସୁରା ପକାଇଲେ

ନାଶ ଯାଇ ଏମନ୍ତ ସେ ତେମନ୍ତ ଏ ଭଲେ

ତାର ଯୋଗ କର୍ମ ଯେତେ ସେହି ପରକାରେ

ଅକାରଣ ଧର୍ମ ସେ କାରଣ ନୋହେ ତାରେ

ଆହୁରି କଥାଏ ଶୁଣ କହିଦେବି ତୋରେ

ମୋହ ନାମକୁ ଯେ ବିଶ୍ୱାସରେ ଧ୍ୟାନ କରେ

ପ୍ରାପତ ହୁଅଇ ତାକୁ ଫଳ ହୋ ଯେତେକ

କେବେହେଁ ଅସ୍ୟାସେ ନାଶ ନୋହେ ସେହୁ ଲୋକ

କୀର୍ତ୍ତି ପ୍ରୀତିରେ ପ୍ରବର୍ତ୍ତି ଥାଇ ନାନାଠାରେ

ଚିତ୍ତ ଦେଇଥାଇ ନିତ୍ୟେ ମୋ ପାଦପଦ୍ମରେ

ସବୁ କର୍ମ ଯୋଗ ଭକ୍ତି କଲା ତାର ହୋଇ

ଇନ୍ଦ୍ରାଦି ପଦ ତାହାକୁ ତୁଚ୍ଛ ଯେ ଦିଶଇ

ଏ ମୋହର ଭାବ ଭକ୍ତି ନ ଜାଣନ୍ତି ଯେହି

ବଣା ହୋଇଁ ମରୁଥାନ୍ତି ଜ୍ଞାନ ଯେ ହରାଇ

ମୋହର ତହୁଁ ଜାତ ଯେ ହେଉଛି ଜଗତ

ନ ଜାଣନ୍ତି କେହି ମୋର ପରମ ଯେ ତବ

ବାରାନିଧି ଜଳରୁ ଯେସନେ କମ୍ପ ଜାତ

ତରଙ୍ଗ ଲହରୀ ତହୁଂ ହୁଅଇ ଉତ୍ଥିତ

ଜଳ ଲହରିରୁ ଯେହ୍ନେ ଜନ୍ମ ହୋଏ ଫେନ

ସୃଷ୍ଟି ଜାତ ହୁଅଇ ଯେ ମୋ ତହୁଁ ତେସନ

ଏ କଥାମାନ ମୋହର ନ ଜାଣନ୍ତି କେହି

ମତିଭ୍ରମ କରି ନାଶ ହୁଅନ୍ତିଟି ସେହି

ଯେହ୍ନେ ବତ୍ରକାଳେ ପ୍ରାଣୀ ଗମନ କରନ୍ତି

ବାଟେ ରଜ୍ଜୁ ଦେଖି ସର୍ପ ବୋଲିଣ ଡ଼ରନ୍ତି

ନୁହଇ ସତ ନିକର କରିଣ ଦେଖିଲେ

ନିରାଶେ ଯେସନେ ଗମେ ମୃଗତୃଷ୍ଣା ଜଳେ

ତେହ୍ନେକ ପ୍ରାୟେଟି ପାଥ ଏ ଜଗତ ମାୟା

ଆତ୍ମା ତୃଷ୍ଣାବନ୍ଧେ ପଡ଼ି ନାଶ ଯାଏ କାୟା

କହିଲି ଏ ହେତୁ ବୁଝି ଘେନ ତୋର ମନେ

ପ୍ରବୃତ୍ତି ନିବୃତ୍ତି ବେନି ଦୃଷ୍ଟି ଏ ଶ୍ରବଣେ

ଅର୍ଜୁନ ବୋଲଇ ପ୍ରଭୁ ଫେଡ଼ିବା ସନ୍ଦେହ

ଜ୍ଞାନ ସାଧିବାର ବାଟ କେମନ୍ତ ତୁ କହ

ଆଜ୍ଞା ହେଉ ମୋତେ ଏହା କମଳାର ସାଇଁ

ଏମନ୍ତେ ମନକୁ ମୋର ପ୍ରତୀତି ଆସଇ

ଶ୍ରୀହରି ବୋଇଲେ ପାଥ ଘେନ ମୋ ମଚନ

ଯୋଦ୍ଧା ଯେବେ ଅଛି ତୋର ବୁଝିବୁ ଏ ଜ୍ଞାନ

ଯାହା ମୁଁ କହୁଛି ଆଜ୍ଞା ପ୍ରତିପାଳି ଥିବୁ

ସବୁ କଥା ଭଲ ପାଥ ଯେବେ ତୁ ଘେନିବୁ

ଧର୍ମ ନାଶ ଯାଏ ପାଥ ଅପ୍ରତେ ଯେ କଲେ

ପୁଣି ଦୋଷ ଦେବୁ ପଛେ ନ କହିଣ ଥିଲେ

ବ୍ରହ୍ମଜ୍ଞାନ ଜ୍ଞାନବ୍ରହ୍ମ ନୁହଇ ଏ ଦୂର

ଗୁପତ ହୋଇ ରହିଛି ମନ୍ଦିରେ ତୋହର

କହିଦେବା ପାଥ ତେ ତେ ଧର ତୁ ଆସନ

ପୂର୍ବ ଛାଡ଼ି ପଶ୍ଚିମରେ ବଳାଅ ତୋ ମନ

ସଳଖ ତୋ ମେରୁଦଣ୍ଡ ଷୋଳ ଯେ ଡ଼ମ୍ବରୁ

ଅର୍ଗଳ ପକାଇ ରଖ ଘଣ୍ଟିକାଦୁଆରୁ

ନାସା ଅଗ୍ରତରେ ଦୃଷ୍ଟି ରଖ ତୁ ଲଗାଇ

ଆସ୍ତେ ଆସ୍ତେ କରି ତୁହି ମନକୁ ବଳାଇ

ପବନ ଆୟତ୍ତ ହେଲେ ମନ ଯେ ଆୟତ୍ତ

ତୋତେ ମୁଁ କହୁଛି ବ୍ରହ୍ମଜ୍ଞାନର ଏ ତତ୍ତ୍ୱ

ଶୁଣିମା ଶ୍ରୀହରି ବୋଲି ବୋଲଇ ଅର୍ଜୁନ

କିପାଁ ଏକଦୃଷ୍ଟି କରି ଏ ମନପବନ

ନାସିକା ଅଗ୍ରକୁ କିପାଁ ତଲେ କରିଥିବା

ଏ କଥା ସନ୍ଦେହ ମୋତେ ଫେଡ଼ିଣ କହିବା

ଶୁଣ ତୁ ଅର୍ଜୁନ ବୋଲି ବୋଲନ୍ତି ଶ୍ରୀହରି

ତହିଁର ଗୁଣ କହିବା ତୋତେ ଯେ ବିସ୍ତାରି

ନାସା ଅଗ୍ରେ ମନ ଦୃଷ୍ଟି ଦେଇଣ ବସିଲେ

ମନ ଅମନ ହୁଅଇ ଯୋଗରେ ମିଶିଲେ

ନାଦବିନ୍ଦୁ ଖଞ୍ଜି ତହିଁ ପଡ଼ଇ ବନ୍ଧନ

ସଂସାର ଧାରଣା ନିରଞ୍ଜନକୁ ବନ୍ଧନ

ଇନ୍ଦ୍ରିୟମାନଙ୍କରୁ ସେ ବିଲଗ ହୁଅଇ

ପ୍ରକୃତିମାନଙ୍କୁ ସବୁ ଅନଳେ ଦହଇ

ଏମନ୍ତ ଭାବରେ ଯେହୁ ଚଳାବନ୍ତି ମନ

ବିଶୁଦ୍ଧାତ୍ମା ବୋଲି ତାକୁ ବୋଲନ୍ତି ଅର୍ଜୁନ

ଇନ୍ଦ୍ରିୟମାନଙ୍କ ସଙ୍ଗେ ମନ ବଶ ହୋଇ

ଅଶୁଦ୍ଧାତ୍ମା ବୋଲି ତାକୁ ତହିଁ ନାଶ ଯାଇଁ

ମନ ପବନ ଯାହାର ସ୍ତମ୍ଭୀଭୂତ ହୋଇ

ନିଶ୍ଚୟେ ପରମପଦକୁ ସେ ପୁଣ ପାଇ

ଯହିଁ ଥିଲେ ତହିଁ ଦୃଷ୍ଟି ତାହାର ସେ ରହି

ସେହିଠାରୁ ଅନୁଭବ ପ୍ରକାଶ ହୁଅଇ

ତୋତେ ମୁଁ କହିଲି ଯାହା ସତ୍ୟ ଏ ବଚନ

ଏ କଥା ନ କହିଲେ ଜାଣି ନୁହଇ ଜ୍ଞାନ

ଏକାଗ୍ର କରିଣ ନାସା ଅଗ୍ରରେ ଯା ଦୃଷ୍ଟି

ଲାଗିଥିଲେ ତାହା ମୁଖେ ଫିଟଇ କବାଟୀ

ପବନ ଆୟତ୍ତ ହେଲେ ଆତ୍ମାକୁ ଜାଣଇଁ

ଗୁରୁ ଉପଦେଶ ପାଥ ସେବିଲେଟି ପାଇଁ

ଗୁରୁ ଜଗନ୍ନାଥ ଦୁଇ ଏକଇ ଯେ ମତ

ଶ୍ରୀଗୁରୁ ଚରଣେ ଧ୍ୟାୟି କହଇ ଅଚ୍ୟୁତ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ନବମୋଽଧ୍ୟାୟାଃ ।

 

ଦଶମ ଅଧ୍ୟାୟ

ଅର୍ଜୁନ ବୋଲଇ ଶୁଣ ଶ୍ରୀହରି

ପୁଛଇ କଥାଏ କହ ବିସ୍ତାରି

ଷଡ଼ଚକ୍ର ବୋଲି କେମନ୍ତ ହୋଇ

ତାହା କହିବା ମୋତେ ଭାବଗ୍ରାହୀ

କେମନ୍ତ ପ୍ରକାରେ କେଉଁ ଭାବନା

ଦେହ ବିଧି ଗୋଟା ହେଲା ରଚନା

ଶ୍ରୀହରି ବୋଇଲେ ଶୁଣ ବିବତ୍ସି

ଷଡ଼ଚକ୍ର ବିଧି କହିବା ବାଛି

ଗୁହାଚକ୍ରକୁ ଯେ ଆଧାର କହି

ଚାରି ଅକ୍ଷର ସେ ସ୍ଥାନେ ବସଇ

ବ ଶ ସ ଷ ବୋଲି ଯେ ଚାରିଅକ୍ଷର

ଆରକ୍ତବର୍ଣ୍ଣ ଦିଶଇ ଚକ୍ରର

ସେ ଚକ୍ରେ ବିଜେ ଦେବ ଗଣେଶ୍ୱର

ବକ୍ରତୁଣ୍ଡ ଦେବ ଘେନି ସଙ୍ଗର

ଯାନ ବାହନ ଅଟଇ ଇନ୍ଦୁର

ଏକୁଁ ମହିମା ଅଟଇ ଅପାର

ତଥିପରେ ଲିଙ୍ଗଚକ୍ର ବସଇ

ଷଡ଼ପାଖୁଡ଼ା ପଦ୍ମ ଫୁଟିଛଇ

ବିଜୁଳିବର୍ଣ୍ଣ ଯେ ଚକ୍ରର ଜ୍ୟୋତି

କାମଦେବ ସେ ସ୍ଥାନେ ଅଧିପତି

କାମାକ୍ଷୀ ଦେବୀ ଘେନି ସଙ୍ଗତର

ହର୍ଯ୍ୟକ୍ଷ ବାହନ ଅଟେ ତାଙ୍କର

ଷଡ଼ଅକ୍ଷର ସେ ସ୍ଥାନେ ବସଇ

ବ ଭ ମ ଯ ର ଳ ଷଡ଼ ବୋଲାଇ

ତୃତୀୟଚକ୍ର ନାଭିକି ଯେ କହି

ଯହୁଁ ଦେହାଦିମାନ ସଞ୍ଚରଇ

ପବନ ମୂଳସ୍ଥାନ ଅଟେ ସେହି

ଯହୁଁ ଚୌଦଭୁବନ ସଞ୍ଚରଇ

ବ୍ରହ୍ମା ଯେଉଁ ସ୍ଥାନେ ଗଢ଼ଇ ସୃଷ୍ଟି

ସେ ପୁର ମର୍କତମରି ପ୍ରାଏଟି

ସେ ସ୍ଥାନେ ଅଛଇ ଅଗ୍ନିମଣ୍ଡଳ

ପାକ କରଇ ଆହାର ସକଳ

ଦଶଦଳରେ ପଦ୍ମ ଫୁଟିଅଛଇ

ଦଶଅକ୍ଷର ସେ ସ୍ଥାନେ ବସଇ

ଦଶଗୋଟି ନାଡ଼ ପଦ୍ମ ଆକାର

ପ୍ରବାହିକା ବୋଲି ନାମ ତାହାର

ପାଦ ପାଣିକି ଚାରି ନାଡ଼ି ଯାଇଁ

ତ୍ରିନାଡ଼ି କଣ୍ଠକୁ ବେଢ଼ି ଅଛଇ

ଇଅଁଳା ପିଅଁଳା ଶିଶୁମ୍ନା ନାଡ଼ି

ବହଇ ତ୍ରିବେଣୀ ଏ ସ୍ଥାନ ମାଡ଼ି

ରସନା ବାମଭାଗେ ଗଙ୍ଗା ବହି

ଦକ୍ଷିଣ ପାଶେ ଯମୁନା ବହଇ

ସରସ୍ୱତୀ ବହେ ମଧ୍ୟଭାଗର

ଏକଇ ଦ୍ୱାର ଶିଶୁମୁନା ଘର

ଇନ୍ଦ୍ରଜିତ ନାଭି ତଳେ ବହଇ

ମଳ ମୂତ୍ର ସେ ଯହିଁ ଉତ୍ସର୍ଗଇ

ଅନ୍ତ ପିତ୍ତ ପୁଟି ପିଳୋହି ଛନ୍ଦି

ସେହି ନାଡ଼ ମଳଭାଣ୍ଡକୁ ରୁନ୍ଧି

ଏକଇ ନାଡ଼ ବେନିଭାଗ ହୋଇ

ମଳ ମୂନ୍ତ୍ର ଭିନ୍ନେ ଭିନ୍ନରେ ବହି

ଅନ୍ତ ପୁଟି ନାଡ଼ି ସାତ ଯେ ହାତ

ଯତ୍ରିତ କରିଛି ବ୍ରହ୍ମା ସମସ୍ତ

ଅଷ୍ଟମ ଆଙ୍ଗୁଳ ଅମରି ସ୍ଥାନ

ପଦ୍ମତଳ ଅଷ୍ଟଫୁଲ ପ୍ରମାଣ

ମଳ ଅଂଶ ଅଷ୍ଟଆଙ୍ଗୁଳେ ରହି

ଷଡ଼ଆଙ୍ଗୁଳରେ ହେଲା ପିଳୋହି

ଆହାର ସମ୍ଭାଇଁ ଯେଉଁ ନାଡ଼ିରେ

ଷଡ଼ଦଶହାତ କହଳି ତୋରେ

ଅଗ୍ନି ବାୟୁ ଦୁଇ ଏକସ୍ଥାନରେ

ଭ୍ରମଣ କରନ୍ତି ଷୋଳହାତରେ

ନାଡ଼ି ସ୍ଥାନରୁ କଣ୍ଠ ପରିଯନ୍ତେ

ଷୋଳହାତ ନାଡ଼ି କହିଲି ତୋତେ

ତିନିହାତ ଅଧେ ଅନ୍ତପୁଟିରେ

ସାତହାତ ପ୍ରକଟିଲା ଶରୀରେ

ଷଡ଼ ଆଙ୍ଗୁଳରେ ରସନା ଜାଣ

ଷାଠିଏବାତ ହେଲେକ ପ୍ରମାଣ

ନାଡ଼ିର ଘର ନାଭିଗନ୍ତ୍ରେ ମୂଳ

ଯହିଁରୁ ଜନ୍ମ ହୁଅନ୍ତି ସକଳ

ଯେଉଁ ଚକ୍ରରେ ବିଜେକରି ବ୍ରହ୍ମା

କି କହିବି ଅବା ତାର ମହିମା

ହଂସବାହନେ ସାମିତ୍ରିଙ୍କି ଘେନ

ଦଶବଳରେ ବିଜେ ପଦ୍ମଯୋନି

ଡ଼ ଠାରୁ ଫ ପର୍ଯ୍ୟନ୍ତତେ ଯେ ତହିଁ

ଦଶଅକ୍ଷରେ ବେଢ଼ି ରହିଛଇ

ଏଥି ଉପରେ ହୃଦଚକ୍ର ସ୍ଥାନ

ବିଷ୍ଣୁ ଦେବତା ଗରୁଡ଼ ବାହନ

ଲକ୍ଷ୍ମୀକି ବାମାଗ୍ରରେ ଘେନି ତହିଁ

ଦ୍ୱାଦଶ ଅକ୍ଷର ବସଇ ଯହିଁ

ଜୀବଆତ୍ମାର ସେ ଅଟଇ ଘର

କେଶରେ ବିଜେ ପରମଈଶ୍ୱର

ସୁକର୍ମ କୁକର୍ମ ଯେତେକ ହୋଇ

ଯେତେ ବିଚାର ସେ ସ୍ଥାନେ ଛିଡ଼ଇ

ଦ୍ୱାଦଶବଳ ପଦ୍ମ ଉଦେ ହୋଏ

କଅଠାରୁ ଠଅ ଅକ୍ଷରଯାଏ

ନାଭିରୁ ବାୟୁ ହୃଦୟକୁ ଆସି

ମନର ସଙ୍ଗେ ଏ ପରାନ ମିଶି

ଏଥି ଉପରେ କଣ୍ଠଚକ୍ର ସ୍ଥାନ

ଷୋଳଅକ୍ଷର ବସେ ବିତପନ

ଦୁଇଅକ୍ଷର ବସେ ଦୁଇପାଟି

ହସ୍ତାଙ୍ଗୁଳି ଦୁଇକ୍ଷରେ ପ୍ରକଟି

ଦୁଇଅକ୍ଷର ହୋଇ ଦୁଇ ଭୁଜ

ଦୁଇକ୍ଷର ବସେ ଦୁଇ ଉରଜ

ଦୁଇକନ୍ଧ ପାଖେ ଦୁଇଅକ୍ଷର

ବସେ ଦୁଇଅକ୍ଷର ଦୁଇ କର୍ଣ୍ଣର

ଦୁଇକ୍ଷର ବସେ ଓଷ୍ଠକୁ ଘେନି

ଶିଶୁମୁନା ମିଶି ଓଁକାର ବେନି

ଏକ ଅକ୍ଷର କେ ରସନା ଘେନି

ଏମନ୍ତେ ଷୋଡ଼ଶ ହୋଇଲା ଜାଣି

ଲଲାଟ ଚକ୍ର ଏଥି ଉପରେ

ବେନି ଅକ୍ଷର ବସଇ ଯହିଁରେ

ବାମ ଦକ୍ଷିରେ ବେନିକ୍ଷର ମେଳ

ଆବୋରି ରହିଛି ସହସ୍ରଦଳ

ସହସ୍ରଦଳରେ ଦଶମ ଦ୍ୱାର

ଦଶଦୁଆରେ ମନର ବିହାର

ସେ ସ୍ଥାନରେ ଅଛି କଳପଦ୍ରୁମ

ସେଠାରେ ମୁନ କରଇ ବିଶ୍ରାମ

କ୍ରୋଣାଖମ୍ବ ପାଥ ତହିଁରେ ରହି

ଅନ୍ୟାନ୍ୟ ବାୟୁ ତହିଁ ସଞ୍ଚରଇ

ମନର ଘରଟି ନ୍ତ୍ରୋଣାଖମ୍ବର

ଭ୍ରମଣ କରେ ସକଳ ଠାବର

ଷଡ଼ଚକ୍ର ପରେ କରେ ବିହାର

ଛଛନ୍ଦେ ପାଥ ପରମଈଶ୍ୱର

ଶୁଣିଲୁଟି ପାଥ କହିଲି ମୁହିଁ

ଗୁପତଜ୍ଞାନ ନ କହିବୁ କାହିଁ

ଶୁଣି ଅର୍ଜୁନ କୃତକୃତ ହୋଇଁ

ପାଦପଦ୍ମରେ ଶିର ଦେଲା ନେଇଁ

ସେହି ପାଦପଦ୍ମ ନିରତେ ଧ୍ୟାୟି

ଅଚ୍ୟୁତାନନ୍ଦ ଦାସ ଯେ କହଇ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ଦଶମୋଽଧ୍ୟାୟଃ ।

 

ଏକାଦଶ ଅଧ୍ୟାୟ

ଅର୍ଜୁନ ବୋଲଇ ଶୁଣ ମହାପ୍ରଭୁ ପୁଛଇ ମୁଁ ଜ୍ଞାନସାର

କେମନ୍ତେ ସେ ଜମ୍ବୁଦୀପ ଭ୍ରତଖଣ୍ଡ କହିବା ତହିଁ ବିଚାର

କେମନ୍ତେ ହୋଇଁ ବେନିଖଣ୍ଡ ପୃଥିବୀ କାହିଁ କେଉଁ ଦେଶେ ବସି

ଯାଜନଗ୍ରରୁ ନୀଳଗିରି ପର୍ଯ୍ୟନ୍ତେ ମହିମା କହି ବିଶେଷି

ଶ୍ରୀହରି ବୋଲନ୍ତି ଶୁଣ ହୋ ଅର୍ଜୁନ ଶାସ୍ତ୍ର ପୁରାଣରେ ଅଛି

ହରଗଉରାଙ୍କ ସମ୍ବାଦ କଥାଏ ଶ୍ରୀଗୁରୁମୁଖୁଁ ଶୁଣିଛି

ପ୍ରଥମେ ଲକ୍ଷଯୋଜନ ଜମ୍ବୁଦୀପ ସେ ମେଦିନୀ ଅକଳିତ

ନବଖଣ୍ଡମଧ୍ୟେ ଭ୍ରତଖଣ୍ଡ ଭୂମି ନାମ ସେ ଅଟଇ ଖ୍ୟାତ

ସେ ଭୂମିଖଣ୍ଡର ପ୍ରମାଣ ଅଟଇ ଦ୍ୱାଦଶ ଯୋଜନ ସୀମା

ନୁହଇ କଳି କେ କେଣେ ଅଛି ପାଥ କହିବା କିଛି ମହିମା

ଭରତଖଣ୍ଡ ପାଦ ଦୁଇ ଅଟଇ ଯାଜନଗ୍ର ନାମେ ପୁରି

ପ୍ରଥମେ ସେଠାରେ ବିରଜା ଦେବୀର ପାଦପଦ୍ମେ ସେବା କରି

ବିରାହଦେବ ଯେ ବୈତରଣୀ ସଙ୍ଗେ ମହାଦେବ ତ୍ରିଲୋଚନ

ତେର ଦେଉଳ ୟେ ସ୍ଥାନରେ ବସିଛି ପାଞ୍ଚାକ୍ରୋଶ ଆୟତନ

ଲୋକେ ସେ ଭିଆଣ ଏ କ୍ଷେନ୍ତ୍ର ମଧ୍ୟେଣ ଆନ ନିୟମ ଯେ ନାହିଁ

ଯାଉଁଳିବନ୍ଧରେ ନିୟମ କଲେ ଯେ ତତକ୍ଷଣେ ସେ ଫଳଇ

କେବେହେଁ ପୁରୁଣା ନହଇ ସେ କ୍ଷେନ୍ତ୍ର ସହସ୍ରଯୁଗେ ନବୀନ

ସେ ସ୍ଥାନ ଦକ୍ଷିଣ ଭାଗରେ ବସିଛି ଦେଶ କାବେରି ନାମେଣ

ବ୍ରାହ୍ମଣିନଦୀ ସଙ୍ଗତରେ ସରିଛି ତ୍ରିତଟୋତ୍ତରଭାଗରେ

ସେ ଭୂମି ମହିମା କହିବା ଅର୍ଜୁନ ମୂଳଘଟ ବିଚାରରେ

ଦେଶେକ ବସିଛି ଅଳସୁଆ ବୋଲି ତାର ଦକ୍ଷିଣଭାଗରେ

ବିରୁପାଉତ୍ତରଭାଗଭୂମିଖଣ୍ଡ ମୂଳସୂନ୍ତ୍ର ବୋଲି ତାରେ

ଶୁଣ ଅର୍ଜୁନ ଦକ୍ଷିଣଭାଗେ ପୁଣ କଟକ ଦେଶଟି ସେହୁ

ବ୍ରତଭୂମି କଟିଭାଗଟି ଅଟଇ ଓଡ଼ିଶା ରାଜ୍ୟକୁ ଚାହୁଁ

ଏଥୁଅନ୍ତେ ଶୁଣ ବିଷ୍ଣୁ ରୂପେ ଜାଣ ଭୂମିଖଣ୍ଡ ଏକ ଉଜ

ବ୍ରହ୍ମଭୁବନେଶ୍ୱର ଶଙ୍ଖଚକ୍ର ୟେ ଗଦାପଦ୍ମ ଚତୁର୍ଭୁଜ

ଭ୍ରତଭୂମି କର କମଳ ଅଟଇ ପେଟକୁକ୍ଷାଦି ଏ ସ୍ଥାନ

ନ୍ତ୍ରୋଟାଗ୍ନି ଯହିଁରେ ଦହନ କରୁଛି ଆହାର ପାକ ବିଧାନ

ଏଥୁ ଅନନ୍ତରେ ଦକ୍ଷିଣଭାଗରେ ରାହାଙ୍ଗ ଯେ ଦେଶ ବସି

ତୁଳସିଚଉରା ଏହି ଭ୍ରତଭୂମି ରହେ ହୃଦୟ ଯା ଭାଷି

ଶୁଣ ଧନଞ୍ଜୟ ଦକ୍ଷିଣଭାଗରେ ଅଠରନଳା ଯା ନାମ

ଭ୍ରତଭୂମି କଣ୍ଠ ସ୍ଥାନ ଏ ଅଟଇ ଷୋଳଦଳଙ୍କ ବିଶ୍ରାମମ

ତଥିଉପରେ ଦ୍ୱାରୀ ଅଟେ ଶୁଣନି ତାର ଅର୍ଦ୍ଧ ମାତ୍ରା ନାମ

ତ୍ରିପୁରାଦେବୀ ଯେ ତାହାଙ୍କୁ ସେ ବୋଲି ଭାବୁଛନ୍ତି ପୁରସ୍ତମ

ପରାଶର ବୋଲି ଯେଉଁ ଭୂମିଖଣ୍ଡି ଗଦାହସ୍ତ ସେ ଅଟଇ

ଶଙ୍ଖହସ୍ତ ବୋଲି ହାଟକ ଈଶ୍ୱର ଭରତଭୂମି ସେ ହୋଇ

ଶୁଣ ଅରଜୁନ ଏଥୁ ଅନନ୍ତରେ ବଡ଼ଦାଣ୍ଡ ବୋଲି ଯାହା

ଭରତଭୂମିର ଗାଲପାଟି ଦୁଇ ଥାନମୁଦ୍ରା ବୋଲି ତାହା

ଭରତଭୂମି ସିଂହଦ୍ୱାର ଯେଠାରେ ଗୋପ୍ୟ ଜଗନ୍ନାଥ ତହିଁ

ସେ ଭୂମି ମୁଖ ନାସାପୁଟ ଏହିଟି କାଶିବିଶ୍ୱନାଥ ଯହିଁ

ଭରତଭୂମି ଦନ୍ତପାଟି ବାଇଶି ପାବଚ୍ଛ ନାମ ଯାହାର

ଜିହ୍ୱା ମୁଖ ଜଗମୋହନ ଅଟଇ ଗରୁଡ଼ସ୍ତମ୍ଭ ପାଶର

ମନ ପବନ ଗରୁଡ଼ ନାମ ରହି ଦେଖନ୍ତି ପୁରୁଷୋତ୍ତମ

କଳାରାଏଟ ଏ ନୟନ କାଳନ୍ଦୀ ତଟରେ ବଟ ବିଶ୍ରାମ

ବଟେଶ୍ୱର ସେହି ସ୍ଥାନରେଣ ସ୍ଥିତ ସଦୃଶ୍ୟେ ଅଦୃଶ୍ୟ ପ୍ରାୟେ

ତ୍ରିକୂଟଭୂମି ମଧ୍ୟରେଣ କପାଳମୋଚନ ମୂରତି ରହେ

ବିଲେଶ୍ୱର ଜମ୍ବେଶ୍ୱର ମାରକଣ୍ଡ ପାତାଳେଶ୍ୱର ଏ ଚାରିଁ

ଜ୍ୟୋତି ଅଖଣ୍ଡ ନିର୍ମଳ ନିରଞ୍ଜନ ମହିମା ନୋହେ ବିସ୍ତାର

ଶଙ୍ଖନାଳରେ କପିଳେଶ୍ୱର ଛନ୍ତି ଜମ୍ବେଶ୍ୱର ତହିଁ ପାଶ

ଅନେକ ମହିମା ଅଷ୍ଟଶମ୍ଭୁଙ୍କର କହି କେ କରିବ ଶେଷ

ଅଷ୍ଟଚଣ୍ଡି ନାମ ଶୁଣ ହୋ ଅର୍ଜୁନ ବିମଳା ରାମଚଣ୍ଡିକା

କାଳିକା ବାଶୁଳା ଜୟଚଣ୍ଡି ମହାମାୟା ଅର୍ଦ୍ଧ ଶୋଣନିକା

ସର୍ବମଙ୍ଗଳା ସଙ୍ଗତେ ଘେନି ଅଷ୍ଟଚଣ୍ଡିକା ନାମଟି ଏହି

ଅଷ୍ଟଶମ୍ଭୁ ଅଷ୍ଟଚଣ୍ଡୀ ଏ କ୍ଷେନ୍ତ୍ରକୁ ବେଢ଼ିଣ ଅଛନ୍ତି ରହି

କଳାରାଏଟ ପାଶରେ ରତ୍ନସିଂହାସନ ଉପରେ ଠାକୁର

ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ସଙ୍ଗତର

ସର୍ବ ନଇବିଦ୍ୟ ଲାଗଇ ସେଠାରେ ମଣୋହି କୋଠାରେ ଥୋଇ

ବାସନା ଚେତନା ଜ୍ୟୋତିଚକ୍ର ଘେନି ମଣୋହି ଭୋଗ କରଇ

ଜନ୍ମକର୍ତ୍ତା ସେ ଯେ ଜଗତ ଈଶ୍ୱର ଜୀବରୂପେ ଭୋଗ ତାର

ଅଶେଷ ସଂସାର ଚରାଚର ଯାର କଳ୍ପଣାରେ ଅବତାର

ମୁହିଁ ଅବା କେଉଁ ଛାରଲୋକ ହୋଇ କହିବି ତାଙ୍କ ମହିମା

ଯାହାର ବୈଷ୍ଣବିମାୟାରେ ଭ୍ରମନ୍ତି ହର ନର ସୁର ବ୍ରହ୍ମା

କୋଟିଏ କୋଟି କୀଟକେ ମୁଁ ଅନ୍ତର କାହିଁ ମୋର ଏତେ ଜ୍ଞାନ

ଶ୍ରୀହରି କୃପାରେ ଏ ଗୀତା ପ୍ରକାଶ କହେ ଅଚ୍ୟୁତ ଅଧମ

 

ଇତି ଶ୍ରୀ ଜ୍ଞାନପ୍ରଦୀପଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ଏକାଦଶୋଽଧ୍ୟାୟଃ ।

 

ଦ୍ୱାଦଶ ଅଧ୍ୟାୟ

କୃଷ୍ଣ ଚରଣତଳେ ପଡ଼ି ପାଥ

ସନ୍ଦେଶ ଫେଡ଼ି କହ ଜଗନ୍ନାଥ

ବାକି କେତେ କଥା ରହିଲା ପରା

ଫିଟୁ ମୋ ମନରୁ ସଂଶୟ ଭାରା

ଅଙ୍ଗନ୍ନ୍ୟାସ କରନ୍ୟାସ ବିଚାର

ଆତ୍ମାଶୁଦ୍ଧି ଭୂତଶୁଦ୍ଧି ପ୍ରକାର

ମାତୃକା ଷୋଡ଼ଶ ପୂଜା ସଂଯୋଗ

କେଉଁ ମନ୍ତ୍ରରେ ସେ ଲାଗଇ ଭୋଗ

କାହାକୁ ଭୋଗ ଦେଇଁ କେବା ପାଇଁ

କେଉଁ ଦିଅଁ କେଉଁଠାବରେ ଥାଇ

ଯେବେ ମୋ ଠାବରେ ସୁଦୟା ଥିବ

ଏଥି ତଦନ୍ତ ମୋତେ କହିଦେବ

ଶ୍ରୀହରି କହନ୍ତି ଶୁଣ ଅର୍ଜୁନ

କହିବା ତୋତେ ଏ ବିଧି ବିଧାନ

କରନ୍ୟାସ ଏ ଅଙ୍ଗୁଷ୍ଠି ତର୍ଜନ

ମଧ୍ୟ ଅନାମିକା କନିଷ୍ଠା ଘେନି

ଅଠାଇଶକ୍ଷର ମନ୍ତ୍ର ଏଥିର

ମୁଖେ ଉଚ୍ଚାରି ଏ ଗାୟତ୍ରି ସାର

ଅଙ୍ଗନ୍ୟାସ ତୋତେ କହିଣ ଦେବା

ହୃଦୟ ଶିରଶିଖା ଛୁଆଇଁବା

ନେନ୍ତ୍ର କବିରାୟ ଏ ପାଞ୍ଚ କରି

ସେହି ମନ୍ତ୍ରାଦି ଏ ସ୍ଥାନାଦି ଧରି

ଭୂତଶୁଦ୍ଧି ଷଡ଼ଚନ୍ତ୍ରାଦି ନ୍ୟାସି

ଆତ୍ମାଶୁଦ୍ଧିରେ ମନଜ୍ଞାନେ ମିଶି

ବାହାର ଭିତର ମାତୃକା ଦୁଇ

ତାକୁ ଚିହ୍ନିଲେ ନିର୍ମଳ ହୁଅଇ

ଷୋଡ଼ଶୋପଚାର ପୂଜାହିଁ କଲେ

ଦିଅଁ ବଶହୋଇ ମନ୍ତ୍ର ପଢ଼ିଲେ

ଗୋପାଳମନ୍ତ୍ରରେ ଲାଗଇ ଭୋଗ

ତୋତେ କହିଲି ଏ ଜ୍ଞାନସଂଯୋଗ

ଜଗନ୍ନାଥ ନାମ ଚାରି ଅକ୍ଷର

ଚାରିକ୍ଷର ପାଥ ଚାରି ଠାକୁର

ଚାରିଠାକୁରଙ୍କ କହିବାନାମ

ସୁଦର୍ଶନ ସୁଭଦ୍ରା ବଳରାମ

କଳାଶ୍ରୀମୁଖ ନାମ ଜଗନ୍ନାଥ

ଏ ଚାରିକ୍ଷର ବ୍ୟାପିଛି ଜଗତ

ଜଅ ଅକ୍ଷର ଜଗତ ଘୋଟିଛି

ଜଳରୁ ସର୍ବ ଉତ୍ପତ୍ତି କରୁଛି

ଦେହ ଥିଲାକୁ ଏ ବୋଲି ସଂସାର

ଜୀବାତ୍ମାରୂପେ ଭୋଗ ନୀଳାମ୍ବର

ଠୁଳ ଆକାର ଏ ବୋଲି ଦେହକୁ

ଶୂନ୍ୟ ଅଣାକାର ବୋଲି ମନକୁ

ବ୍ରହ୍ମାଣ୍ଡଯାକ ଏ ବହିଛି ଶିରେ

ଅନନ୍ତ ନାମଟି ବୋଲି ତାହାରେ

ସେହିଟି ଅଟଇ ଷୋଳ ନୟନ

ଷୋଳ ନାମଟି ସେହି ବୋଲି ଘେନ

ଆହୁରି କହିବା ତୋତେ ଅର୍ଜୁନ

ଚନ୍ଦ୍ର ସୂର୍ଯ୍ୟଙ୍କର କଳାବିଧାନ

ବତିଶ କଳା ଚନ୍ଦ୍ର ସୂର୍ଯ୍ୟ ଘେନି

ଚବିଶ କଳାଟି ଗାୟନ୍ତ୍ରୀ ପୁଣି

ଗାୟନ୍ତ୍ରୀ ଚବିଶ ବ୍ରହ୍ମାଣ୍ଡ ହୋଇ

ଉତ୍ପତ୍ତି ପ୍ରଳୟ କରନ୍ତି ସେହି

ବାକି ଆଠ କଳା ରହିଲା ଯହିଁ

ଆଠ ବ୍ରହ୍ମାଣ୍ଡ ସେ କହିବା ତହିଁ

ମୂଳମେଳରେ କରି ବିଶ୍ରାମ

ସି ଦ୍ଧି ର ସ୍ତୁ ଚାରି କଳାଙ୍କ ନାମ

ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳାଟି ସେହି

ଏହା ଭେଦିଲେ ଦେବଲୋକେ ଯାଇ

ନିଦ୍ରା ଆହାର ବାୟୁ ମଇଥନ

ଚାରି କଳା ଏଟି ଦେହ ବିଧାନ

ଚବିଶ ଆଠରେ ବତିଶ ହେଲା

ଅଷ୍ଟାଙ୍ଗ ଯୋଗଟି ସେ ଆଠ କଳା

ଚବିଶ ଆଠରେ ବତିଶ ଭୋଗ

ସର୍ବଦା ଥାଇ ଏ ଦେହେଁ ସଂଯୋଗ

ଏବେ କହିବା ଚାରିକ୍ଷର କଥା

ଜ ଅକ୍ଷରଟି ଜଗତକରତା

ଶ ଅକ୍ଷରଟି ସେ ରେବତୀପତି

ଶଙ୍ଖ ଗୋକ୍ଷୀର ଶ୍ୱେତ ତାଙ୍କ ମୂର୍ତ୍ତି

ଶ କ୍ଷରର ଯେ ମହିମା ପୁଣ

କହିଦେବା ତୋତେ ଶୁଣ ଅର୍ଜୁନ

ଗ ଯେ ଗଗନମାର୍ଗ ଶୂନ୍ୟ ସେହି

ଜ୍ଞାନ ପ୍ରକାଶ ତାହାଠାରୁ ହୋଇ

କର୍ମ ଧର୍ମ ବାହ୍ୟଶୁଦ୍ଧି ବିଚାର

ଶୂନ୍ୟ କରତା ଭେଦେ ସବୁଠାର

ଗ ସୁଦର୍ଶନ ଯେ ମନ ସ୍ୱରୂପ

ଭୂମି ମଧ୍ୟେ ଦଶ ମିଶି ସେ ଗୋପ୍ୟ

ତା ଅଙ୍ଗ ଅକ୍ଷରୁ ଭଜିଲେ ପାଇ

ତୋତେ ଯେ ଉପଦେଶ ଦେଲି କହ

ଏବେ କହିବା ଯେ ନାମ ଅକ୍ଷର

ଏମନ୍ତ ମହିମା ଅଟେ ତାହାର

ଆଦିଶକ୍ତି ଯୋଗମାୟା ବୋଲାଇ

ନାସ୍ତି ଆସ୍ତିରେ ସଂସାର କରଇ

ନାମୁ ଭଦ୍ରା ଯେ ରଜଗୁଣଯୁକ୍ତ

ନାଭିକମଳୁଁ ବ୍ରହ୍ମା ହେଲେ ଜାତ

ସେ ପୁଣ ଜଗତ ଜାତ କରଇ

ପ୍ରଳୟ କାଳେ ସର୍ବ ସଂହରଇ

ଅକାର ମହିମା କହିବା ଏବେ

ଥାଣୁ ମନ୍ଦାକିନୀ ଯା ପାଦେ ସେବେ

ସ୍ଥୂଳ ଥୟ ସ୍ଥିତି ନାହିଁ ତାହାରି

ସ୍ତମ୍ଭୀଭୂତେ ଚତୁର୍ଦ୍ଦଶ ଆବୋରି

ଧ୍ୟାନଧାରଣା ଲୟ ସୂନ୍ତ୍ର କେତେ

ବେଦପୁରାଣ କହଅଛି ଯେତେ

ରାଧିକା ଦୂତିକା ବେନି ପାଶର

ମଧ୍ୟେ ବିଜେ ମୋହନ ବେଣୁଧର

ଦାରୁ ମଧ୍ୟେ ରୂପ ମଧ୍ୟେ ବିହାର

ତ୍ରିକୂଟ କାଳନ୍ଦୀ ବଟମୂଳର

ଚାରି ଅକ୍ଷର ନାମ ଚରି ରୁପ

ସିଂହାସନେ ଯୋଗମାୟାରେ ଗୋପ୍ୟ

ଗରୁଡ଼ସ୍ତମ୍ଭ ପାଶେ ଥାଇ ଦେଖ

ଦର୍ଶନ ହୁଅଇ କଳାଶ୍ରୀମୁଖ

ଅର୍ଜୁନ କୃଷ୍ଣଚରଣେ ପଡ଼ିଲା

ମନୁ ସଂଶୟ ସକଳ ଛାଡ଼ିଲା

ଆଶ୍ରେ କରିଣ ପାଦ ଅରବିନ୍ଦ

ଧ୍ୟାଇଣ କହଇ ଅଚ୍ୟୁତାନନ୍ଦ

 

ଇତି ଶ୍ରୀ ଜ୍ଞାନପଦଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ

ଦ୍ୱାଦଶୋଽଧ୍ୟାୟଃ।

 

ତ୍ରୟୋଦଶ ଅଧ୍ୟାୟ

ଶ୍ରୀକୃଷ୍ଣ ଚରଣେ ଅର୍ଜୁନ ପଡ଼ିଣ ପୁଛଇ ଯେ ଜ୍ଞାନସାର

କେମନ୍ତ ପ୍ରକାରେ ଶରୀର ହୋଇଛି କହିବା ଏଥି କିଚାର

ତିନିପୁର ପୁଣ ଚଉଦଭୁବନ ଦେହରେ କାହିଁ ରହିଛି

ପ୍ରତି ପ୍ରତି କରି କହ ମହାପ୍ରଭୁ ସଂଶୟ ନ ରହୁ କିଛି

ଶ୍ରୀହରି କହନ୍ତି ଶୁଣ ଧନଞ୍ଜୟ କହିବା ଏଥି ବିଚାର

ପୃଥ୍ୱୀ ଆପ ତେଜ ବାୟୁ ଯେ ଆକାଶ ପଞ୍ଚଭୂତ ଏ ଶରୀର

କଟିଠାରୁ ପାଦତଳ ପରିଯନ୍ତେ ପାତାଳପୁର ବୋଲାଇ

ଏଥି ମଧ୍ୟେ ସପ୍ତପାତାଳ ଅଛଇ ତାହା ଦେବା ତୋତେ କହି

ନାଭିକମଳରୁ କଣ୍ଠ ପରିଯନ୍ତେ ଏହିଟି ମର୍ତ୍ତ୍ୟଭୁବନ

କଣ୍ଠଠାରୁ ଶିର ଦେଖାଯାଏ ସ୍ୱର୍ଗପୁର ଏ ବୋଲି ଅର୍ଜୁନ

ଏଥିମଧ୍ୟେ ସପ୍ତପୁର ରହିଅଛି ତାହା କହିଦେବା ତୋତେ

ତିନିପୁର ମଧ୍ୟେ ଚଉଦଭୁବନ ରହିଛି ଯେହ୍ନେ ଗୁପତେ

ପାଦତଳକୁ ଯେ ପାତାଳ କହିଟି ପାପୁଲି ନାମ ବିତାଳ

ଜଘଂକୁ ତଳାତଳ ବୋଲି କହିଟି ପିଚା ନାମ ରସାତଳ

ଗୁହ୍ୟକୁଟି ମହାତଲ କହି ଇନ୍ଦ୍ରି ଅତତାଳ ନାମ ବହି

ତଲିପେଟ ନାମ ସୁତଳ ବୋଲାଇ ତୋତେ ଦେଲି ପାଥ କହି

ଏଥିଉତ୍ତାରେ କହିବା ତୋତେ ଶୁଣ ସପ୍ତଲୋକର ବିଧାନ

ପ୍ରତିପ୍ରତି କରି କହୁଅଛି ପାଥ ରଖ ହେତୁ କରି ମନ

ନାଭିସ୍ଥଳକୁ ଯେ ଭୂଲୋକ କହଇ ଭୁବଲୋକ ହୃଦ ଜାଣ

ବକ୍ଷସ୍ଥଳ ମହଲୋକ ବୋଲାଇଟି ମୁଖ ଜନଲୋକ ଶୁଣ

ତପଲୋକ ସ୍ଥାନ ନାସିକା ବୋଲାଇ ସତ୍ୟଲୋକ ବୋଲି ତାହା

କପାଳକୁ ପୁଣି ସ୍ୱର୍ଗଲୋକ ବୋଲି ଶୁଣ ପାଥ ହୋଇ ସ୍ନେହା

ଚଉଦଭୁବନ ଏହିଟି ଅର୍ଜୁନ କହିଦେଲି ତୋତେ ସତ୍ୟ

ଏଥିପରେ ଅଛି ଗୋଲକଭୁବନ ଯହିଁ ନିତ୍ୟ ମହାନିତ୍ୟ

ପରମ ନିତ୍ୟଘେନି ଏହୁ ନିତ୍ୟଟି ତ୍ରିନିତ୍ୟ ଏହି ବୋଲାଇ

ଶୁଣିକରି ପାଥ ବୋଲେ ମହାପ୍ରଭୁ କହ ସଂଶୟ ଫିଟାଇ

ଶ୍ରୀକୃଷ୍ଣ ବୋଲନ୍ତି ଶୁଣସର୍ବସାଚି ଅନନ୍ତର ନ୍ତ୍ରୟଫଣୀ

ସେହି ତ୍ରୟଫଣୀ ତ୍ରିକୋଣ ସଂଜୀତ ତାହା କହିଦେବା ପୁଣି

ନିତ୍ୟବୋଲି ଯାହା ପ୍ରଥମ କୋପଟି ଦକ୍ଷିଣ ନୟନ ତୋର

ଶ୍ରୀ ବୋଲି ତହିଁ ବିଜେକ ବସିଲା ବଳଭଦ୍ର ନାମ ତାର

ମହାନିତ୍ୟ ବୋଲି ଦ୍ୱିତୀୟ କୋଣଟି ସେ ତୋର ବାମ ନୟନ

ଶ୍ରୀ ବୋଲି ତହିଁ ବିଜେକ ବସିଛି ସୁଭଦ୍ରା ତାନାମ ଶୁଣ

ପରମ ନିତ୍ୟ ବୋଲି ଯାହା କହିବି ଏ ବେନି ମଧ୍ୟେ ରହିଲା

କ୍ଲିଂ ବୀଜ ଘେନି ଜଗନ୍ନାଥ ରୂପ ତ୍ରିକୋଣଟି ପ୍ରକାଶିଲା

କହେ ଧନଞ୍ଜୟ ଶୁଣ ମହାପ୍ରଭୁ ତ୍ରିବୀଜ ହେତୁ ଶୁଣିଲି

କୋଟିଜନ୍ମ ପାପ କ୍ଷୟଗଲା ମୋର ଦୁରିତମାନ ଛେଦିଲି

ମ୍ଭୁଁ ଯେବେ ପରିଚାରକ ଭୃତ୍ୟ ତୋର ଭୃତ୍ୟଜନେ ଦୟା କରି

ଧ୍ରୁବମଣ୍ଡଳ ଯେ ଶ୍ରୀବଟପାଟଣା କହିବା ହେବେ ବିସ୍ତାରି

କହନ୍ତି ହରି ଶୁଣ ପଣ୍ଡୁକୁମର ଧ୍ରୁବମଣ୍ଡଳ ମହିମା

ସଚରାଚର ପଶି ମିଶି ରହିଛି କେହି ନ ଜାଣେ ଏସୀମା

ଅମରଭୁବନ ଅଟଇ ଏ ସ୍ଥାନ ଧ୍ୱନି ଶୁଭୁଅଛି ଯହିଁ

ସେ ଧ୍ୱନି ଶୁଣିଲେ ଅମର ହୋଇବୁ ଦେଲି ତୋତେ ପାଥ ହି

ଶ୍ରୀହଟପାଟଣା ଅତି ଅଗୋଚର ଦେବଲୋକଙ୍କ ହାଟ

ମୁନି ଜ୍ଞାନୀ ଯୋଗୀ ସେ ପଥେ ଗମନ୍ତି ଅନ୍ୟ ନ ପାବନ୍ତି ବାଟ

ତ୍ରିବେଣୀ ନଦୀ ସେହିଠାରେ ବହୁଛି ହାଟପାଟଣାକୁ ଭେଦି

ତହିଁ ପଶିଲେ ତୁ ନିର୍ମଳ ହୋଇବୁ ପାପ ପକାଇବୁ ଛେଦି

ତୋହର ଦେହ ଦେଖ ଜ୍ଞାନଭଣ୍ଡାର ଆଉ କି କହିବି ତୋତେ

ତଲେ କରମନଜ୍ଞାନ ଚେତନାରେ ପୂରିଅଛି ସର୍ବଭୂତେ

ନିଶ୍ଚେଁ ସଦଗୁରୁ ଆଶ୍ରେକଲେ ଯାଇ ତବ ଜ୍ଞାନନର ବିଚାର

କହିବାକୁ ଯାହା ବଚନେ ନ ଆସେ ଦେଖିବାକୁ ଅଗୋଚର।

ଶାସ୍ତ୍ର ଗୋଚରରେ ସମସ୍ତେ କହନ୍ତି କଥା ପଟାନ୍ତର ଦେଇ

ସ୍ଥୂଳ ସୂକ୍ଷ୍ମ କେଡ଼େ ଜୀବକି ଅର୍ଜିବ କାହିଁଥାଇ କାହିଁପାଇ

ଲୀଳା କରୁଅଛି କୁହୁକ ଲଗାଇ ମାୟାକୁ ବେଷ୍ଟିତ କରି

ଜଗତଯାକ ଯେ ପୂରି ମିଶିଅଛି ନ ପାରନ୍ତି ବାରିଧରି

ଅଣସାଧନା ବାଟରେ ପଡ଼େ ଭେଟ ଯେବେ ଗୁରୁଆଜ୍ଞା ହୋଇଁ

କୋଟି କୋଟି ଶାସ୍ତ୍ର ସୁମୂର୍ତ୍ତି ଶୁଣିଲେ ଜ୍ଞାନଗୋଚର ନହୁଇ

ଶାନ୍ତି ଆତ୍ମା ଶୁଦ୍ଧ ନିରିମଳ ଚିତ୍ତ ହେଲେ ସେ ମୁଁ ଏକରୂପ

ଭକ୍ତଜନ ମୋତେ ନିରତେ ଦେଖନ୍ତି ଅଭକ୍ତିଜନେ ମୁଁ ଗୋପ୍ୟ

ଶ୍ରୀକୃଷ୍ଣ ବଚନ ଶୁଣିଣ ଅର୍ଜୁନ କୃତକୃତ ଭାବ ହୋଇଁ

ପାଦପଦ୍ମେ ଆଶା କରିଣ ଭରସା ଅଚ୍ୟୁତଦାସ କହଇ

 

ଇତି ଶ୍ରୀ ଜ୍ଞାନ ପ୍ରଦୀପଗୀତାୟାଂ ସୁପନିସତ୍ସୁ ବ୍ରହ୍ମବିଦ୍ୟାୟାଂ

ଶ୍ରୀକୃଷ୍ଣଅର୍ଜୁନ ସମ୍ବାଦେ ନାମ ତ୍ରୟୋଦଶୋଽଧ୍ୟାୟଃ ।

ସମାପ୍ତୋଽୟଂ ଗ୍ରନ୍ତଃ ।